ଗୁଜରାଟରେ ଶପଥ ସମାରୋହ, ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଭୂପେନ୍ଦ୍ର ପଟେଲ୍, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
12/12/2022 at 9:46 AM

ଗାନ୍ଧିନଗର: ଗୁଜରାଟରେ ଶପଥ ସମାରୋହ ଉତ୍ସବ । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍ । ସୋମବାର ଅପରାହ୍ନ ୨ଟାରେ ଶପଥ ଗ୍ରହଣ ସମାରୋହ ହେବ । ଗୁଜରାଟ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ନୂଆ ସରକାରରେ ଦ୍ବିତୀୟ ଥର ପାଇଁ କାର୍ଯ୍ୟ ଭାର ସମ୍ଭାଳିବେ ଭୂପେନ୍ଦ୍ର ପଟେଲ୍ ।
ସୂଚନା ଅନୁଯାୟୀ, ସୋମବାର ଶପଥ ଗ୍ରହଣ ଉତ୍ସବ ହେବ। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଗୁଜରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ପାଠ କରାଇବେ। ଗାନ୍ଧୀନଗର ସ୍ଥିତ ସଚିବାଳୟ ନିକଟ ହେଲିପ୍ୟାଡ୍ ଗ୍ରାଉଣ୍ଡରେ ଅପରାହ୍ନ ୨ଟାରେ ହେବ ଶପଥ ପାଠ ଉତ୍ସବ।
ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି। କଂଗ୍ରେସକୁ ହରାଇ ମହାବିଜୟ ହାସଲ କରିଥିଲା ଦଳ। ବିଜେପିର ବିଜୟ ପରେ ପୁଣି ଥରେ ଭୂପେନ୍ଦ୍ରଙ୍କ ନେତୃତ୍ୱ ଉପରେ ଭରସା କରିଛି ଦଳ । ଇଂଜିନିୟରରୁ ରାଜନେତା ହୋଇଥିବା ଭୂପେନ୍ଦ୍ର ପଟେଲ ଯୁବାବସ୍ଥାରୁ ଆରଏସଏସ ସହ ଜଡ଼ିତ। ୧୯୯୦ ଦଶକରେ ସେ ରାଜନୀତିର ମୁଖ୍ୟ ଧାରାକୁ ଆସିଥିଲେ। ୨୦୧୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ।