ମଙ୍ଗଳବାର ମୋରବି ଯିବେ ପିଏମ ମୋଦୀ, ପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ଭେଟିବେ

Published By : Prameya-News7 Bureau | October 31, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ମଙ୍ଗଳବାର ଗସ୍ତର ଶେଷ ଦିନ।  ଆସନ୍ତାକାଲି ସେ ମୋରବି ଯାଇ ପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ଭେଟିବେ । ଏହାପରେ ହସ୍ପିଟାଲରେ ଚିକିତ୍ସିତ ଆହତଙ୍କୁ ମଧ୍ୟ ଭେଟିବେ । ରବିବାର ସଂଧ୍ୟାରେ ଘଟିଥିବା ଏହି ଦୁର୍ଘଟଣା ଏବେ ସୁଦ୍ଧା ୧୪୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବେ ବି ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣା ପରେ ପ୍ରାୟ ୨୦୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଷ୍ଟେଚ୍ୟୁ ଅଫ୍ ୟୁନିଟି ନିକଟରେ ରାଷ୍ଟ୍ରୀୟ ଏକତା ଦିବସ ଅବସରେ ନିଜ ସମ୍ୱୋଧନରେ ମୋରବି ପୋଲ ଦୁର୍ଘଟଣା କଥା ଉଲ୍ଲେଖ କରି ଭାବୁକ ହୋଇଥିଲେ।

ବ୍ରିଟିଶ ଅମଳର ଏହି ପାଦ ଚଲା ପୋଲ ଛିଡିବା ଘଟଣାରେ ପିଏମ ମୋଦୀ ଦୁଃଖ ପ୍ରକାଶ କରିଥିଲେ । ଏହାସହ ମୃତକଙ୍କ ପରିବାର ପ୍ରତି ନିଜ ସମବେଦନା ଜଣାଇଥିଲେ । ପିଏମ ମୋଦୀ ଭାବୁକ ସ୍ୱରରେ କହିଥିଲେ, 'ମୁଁ ଏକତା ନଗରରେ ଅଛି, କିନ୍ତୁ ମୋର ମନ ମୋରବି ପୀଡିତଙ୍କ ସହ ଅଛି । ସମ୍ଭବତଃ ମୁଁ ଜୀନବରେ ଏହିପରି କଷ୍ଟ କେବେ ଅନୁଭବ କରିଥିବି । ଗୋଟିଏ ପଟେ ଯନ୍ତ୍ରଣାରେ ଥିବା ମନ ତ ଅନ୍ୟପଟେ କର୍ତ୍ତବ୍ୟ ପଥ । ଦୁଃଖର ଏହି ସମୟରେ ଶୋକ ସନ୍ତପ୍ତ ପରିବାର ସହ ସରକାର ଛିଡା ହୋଇଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ସବୁ ସମ୍ଭବ ସହାୟତା ପ୍ରଦାନ କରୁଛି'।  

ଦୁର୍ଘଟଣା ପରେ ମଚ୍ଛୁ ନଦୀ ଉପରେ ନିର୍ମିତ ସସ୍ପେନଶନ ବ୍ରିଜର ମରାମତି କାମ କରୁଥିବା ଓରେଭା କମ୍ପାନି ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଓରେଭା କମ୍ପାନି ଏବଂ ଦାୟୀ ଅଫିସରଙ୍କ ବିରୋଧରେ ଆଇପିସି ଧାରା ୩୦୪, ୩୦୮ ଏବଂ ୧୧୪ ଅଧିନରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ମୋରବି ପୋଲିସ ଏବଂ ଗୁଜରାଟ ଏଟିଏସ କମ୍ପାନିର ୯ ଜଣ କର୍ମଚାରୀଙ୍କୁ ହେପାଜତକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.