ନିର୍ବାଚନ ପୂର୍ବରୁ ଗୁଜରାଟରେ ଏଟିଏସ୍ ଆକ୍ସନ, ଔଷଧ କମ୍ପାନୀରେ ଚଢ଼ାଉ, ୫ଶହ କୋଟିରୁ ଅଧିକ ଡ୍ରଗ୍ସ ଜବତ

Published By : Prameya-News7 Bureau | November 30, 2022 IST

ଗାନ୍ଧିନଗର: ଗୁଜରାଟ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଏଟିଏସ । ଆଣ୍ଟି ଟେରର୍ ସ୍କ୍ବାର୍ଡ ବେଆଇନ ଡ୍ରଗ୍ସ ବ୍ୟବସାୟୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ବଡ଼ଦୋରାର ବିଭିନ୍ନ ଔଷଧ ନିର୍ମାଣୀକାରୀ କମ୍ପାନୀ ଗୁଡ଼ିକରେ ରେଡ୍ ମାରିଛି ଏଟିଏସ୍  । ବିଭିନ୍ନ ସ୍ଥାନରୁ ପ୍ରାୟ ୫ଶହ କୋଟି ଟଙ୍କାରୁ ଅଧିକ ବେଆଇନ ଔଷଧ ଜବତ କରିଛି ।

ଏଟିଏସ ଅଧିକାରୀଙ୍କୁ କହିବା ଅନୁଯାୟୀ, ଔଷଧ କମ୍ପାନୀମାନେ ବେଆଇନ ଭବେ ରସାୟନିକ ପଦାର୍ଥରେ ଏମଡି ଔଷଧ ତିଆରି କରୁଥିଲେ । ଯାହାକୁ ନିଶାଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଏନେଇ ଖବର ମିଳିବା ପରେ ଏସିଏସର ସ୍ବତନ୍ତ୍ର ଟିମ୍ ମଙ୍ଗଳବାର ରାତିରେ ସହର ବିଭିନ୍ନ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଗୋଦାମ ଘରେ ଛାପା ମାରିଥିଲା । ଚଢାଉ ବେଳେ ୫ଶହ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବେଆଇନ ଔଷଧ ବା ଡ୍ରଗ୍ସ ଜବତ କରିବା ସହିତ ଏଥିରେ ସାମିଲ ଥିବା ୫ଜଣଙ୍କୁ ଗିରଫ କରିଛି ଟିମ୍ । ତେବେ ଏହି ନକଲି କାରବାରରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ଏନେଇ ଖୋଳତାଳ ଜାରି ରଖିଛି ଏଟିଏସ ।  

ଏହା ପୂର୍ବରୁ ଏସିଏସ ଅଗଷ୍ଟ ମାସରେ ବଡ଼ଦୋରାର ସହର ନିକଟରେ ଥିବା ଔଷଧ କମ୍ପାନୀରୁ ୨ଶହ କିଲୋଗ୍ରାମର ମୈଫଡ୍ରୋନ୍ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ହଜାରେ କୋଟିରୁ ଅଧିକ ହେବ ।

ଗୁଜରାଟରେ ଡିସେମ୍ବର ୧ତାରିଖରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଏହାକୁ ପୂର୍ବରୁ ଏଟିଏସ ବଡ଼ଧରଣର ରେଡ୍ ମାରିଛି । ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଆଣ୍ଟି ଟେରର୍ ସ୍କ୍ବାର୍ଡର ଅଧିକାରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.