ଗୁଜରାଟ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ ଗୀତା, ବିଧାନସଭାରେ ପ୍ରସ୍ତାବ ଗୃହୀତ

Published By : Prameya-News7 Bureau | February 08, 2024 IST

ଭୁବନେଶ୍ୱର: ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସ୍ୱାଗତ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । ତେବେ ଭୋଟିଂ ବେଳେ ପାର୍ଟି ଏହାର ସମର୍ଥନ କରିଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମାର୍ଚ୍ଚରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଜିତୁ ବାଘାନୀ ବିଧାନସଭାରେ ଘୋଷଣା କରିଥିଲେ ଯେ ସ୍କୁଲ ଛାତ୍ରଛାତ୍ରୀ ଗୀତା ଏବଂ ଏହାର ଶ୍ଲୋକ ଜାଣିବା ଦରକାର । ଏହାପରେ ୨୦୨୨ ମାର୍ଚ୍ଚ ୧୭ରେ ଏକ ସରକାରୀ ପ୍ରସ୍ତାବ ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଗୀତାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ଅବଗତ କରାଯିବ ।

ପଢନ୍ତୁ: ସ୍କୁଲରେ ଭଗବତ ଗୀତା ପଢାଯିବାରେ ଆପତ୍ତି ନାହିଁ, ସମ୍ବିଧାନର କ’ଣ ହେବ ?- ସିଦ୍ଧରମୈୟା

ଭଗବତ ଗୀତାକୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ କାହାଣୀ ରୂପେ ପଢାଯିବ । ଏହାପରେ ନବନରୁ ଦ୍ୱାଦଶ ଯାଏ ଏହାକୁ ଭାଷାର ପ୍ରଥମ ପାଠ୍ୟପୁସ୍ତକର ଅଂଶ ଭାବେ ପଢାଯିବ । ଏହି ପ୍ରସ୍ତାବ ଉପସ୍ଥାପନ କରି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରଫୁଲ ପଂଶେରିଆ କହିଛନ୍ତି ଯେ ଭଗବତ ଗୀତା ମାନସିକ ଚିନ୍ତା ଏବଂ ଚାପ ମୁକ୍ତ କରିବାରେ ପୁଞ୍ଜି ହେବ, ଯାହା ଭବିଷ୍ୟତରେ ଦୁନିଆ ସାମନାରେ ଏକ ବଡ଼ ସମସ୍ୟା ରୂପେ ଉଭା ହେଉଛି । ଶିକ୍ଷା ମନ୍ତ୍ରୀ କହିଛନ୍ତି, 'ଯଦିଓ ଗୀତାକୁ ହିନ୍ଦୁ ଧର୍ମର ବୋଲି କୁହାଯାଏ, କିନ୍ତୁ ଏହା କେବଳ ହିନ୍ଦୁଙ୍କ ଯାଏ ସୀମିତ ନୁହେଁ, ବରଂ ସମ୍ପୂର୍ଣ୍ଣ ମାନବ ସମାଜ ପାଇଁ ଧର୍ମଗ୍ରନ୍ଥ ଏବଂ ବିଶ୍ୱର ଏଥିରୁ ମାର୍ଗଦର୍ଶନ ନେଉଛି । ଗୀତା କେବଳ ଜ୍ଞାନର ଖଜଣା ନୁହେଁ ବରଂ ଭଲ କର୍ମ ଏବଂ ବିଚାରର ପ୍ରେରଣା ମଧ୍ୟ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.