ଗୁଜରାଟରେ ପୁଣି ମହିଳାଙ୍କୁ ଅଣଦେଖା, ବିଧାନସଭା ନିର୍ବାଚନରେ ମାତ୍ର ୧୩୯ ପ୍ରାର୍ଥୀ

Published By : Prameya-News7 Bureau | November 27, 2022 IST

ଗାନ୍ଧିନଗର: ଡିସେମ୍ବର ପହିଲାରେ ଗୁଜରାଟରେ ପ୍ରଥମ ଚରଣ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ହେବ ମତଦାନ । ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାରୁ ପ୍ରମୁଖ ରାଜନୈତିକ ଦଳମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ମାତ୍ର ଚଳିତ ନିର୍ବାଚନରେ ପୁଣି ଥରେ ମହିଳାଙ୍କୁ ଅଣଦେଖା କରାଯାଇଛି । ଚଳିତ ବିଧାନସଭା ନିର୍ବାଚନରେ ମାତ୍ର ୧୩୯ଜଣ ମହିଳା ବିଧାୟକ ପ୍ରାର୍ଥୀ ରହିଛନ୍ତି ।   

ଗୁଜରାଟରେ ୨ଟି ପର୍ଯ୍ୟୟରେ ବିଧାନସଭା ନିର୍ବାଚନ ହେବ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ୫ରେ ଦ୍ବିତୀୟ ପର୍ଯ୍ଯାୟ ହେବ । ୧୮୯ଟି ଆସନରେ ବିଧାୟକ ବାଛିବେ ମତଦାତା । ହାତରେ ମାତ୍ର ସ୍ବଳ୍ପ ସମୟ ଥିବାରୁ ଜୋରଦାର ପ୍ରଚାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ହେଲେ ପୂର୍ବ ଭଳି ଚଳିତ ନିର୍ବାଚନରେ ମଧ୍ୟ ମହିଳାଙ୍କୁ ଅଣଦେଖା କରାଯାଇଛି । ରାଜ୍ୟରେ ୫୦ ପ୍ରତିଶତ ମହିଳା ଭୋଟର ରହିଥିଲେ ମଧ୍ୟ ମହିଳାଙ୍କ ଉପରେ ଭରସା କରି ପାରିନାହାନ୍ତି ରାଜନୈତିକ ଦଳ । ୧୮୯ ବିଧାନସଭା ଆସନରେ ମୋଟ୍ ୧୬୨୧ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ହେଲେ ଏମାନଙ୍କ ମଧ୍ୟରେ ମାତ୍ର ୧୩୯  ମହିଳା ପ୍ରାର୍ଥୀ ରହିଛନ୍ତି । ଏଥି ମଧ୍ୟରୁ ୫୬ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି ।

୨୦୧୭ ନିର୍ବାଚନ ଅପେକ୍ଷା ୨୦୨୨ରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଏହା ଆଶା କମ୍ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ୨୦୧୭ରେ ବିଜେପି ମାତ୍ର ୧୨ଜଣ ମହିଳାଙ୍କୁ ଟିକେଟ୍ ପ୍ରଦାନ କରିଥିଲା । ଚଳିତ ଥର ଏହି ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସେହିପରି କଂଗ୍ରେସ ଗତ ଥର ୧୦ଜଣ ମହିଳାଙ୍କୁ ନିଜ ପ୍ରାର୍ଥୀ କରିଥିଲା । ଏଥର ଏହି ସଂଖ୍ୟା ସାମାନ୍ୟ ବଢି ୧୪ରେ ପହଞ୍ଚିଛି । ଦୁଇ ପ୍ରମୁଖ ଦଳ ଚଳିତ ନିର୍ବାଚନରେ ଜନଜାତି ମହିଳାଙ୍କୁ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି । ସେହିପରି ଗୁଜରାଟରେ ସରକାର ଗଢିବାକୁ ସ୍ବପ୍ନ ଦେଖୁବା ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଦୌଡରେ ପଛରେ ନାହିଁ। ମୋଟ୍ ୧୮୨ଟି ଆସନରେ ଦଳ ପ୍ରାର୍ଥୀ ଦେଇ ଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୬ଜଣ ମହିଳା ରହିଛନ୍ତି । ବହୁ ଜନ ସମାଜବାଦୀ ପାର୍ଟି ୧୦୧ଟି ସିଟ୍‌ରେ ନିର୍ବାଚନ ଲଢୁଥିବାବେଳେ ମାତ୍ର ୧୩ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି ।

ବିଧାନସଭା ନିର୍ବାଚନରେ ସ୍ବଳ୍ପ ମହିଳା ପ୍ରାର୍ଥୀଙ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭଦଦୋରା ସୟାଜିଗଞ୍ଜ ଆସନର କଂଗ୍ରେସ ବିଧାୟିକା ପ୍ରାର୍ଥୀ ଅମି ରାଓତ । ସେ କହିଛନ୍ତି, ରାଜ୍ୟରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାରିତ ହେଲେ ବିଧାନସଭାରେ ମହିଳାଙ୍କ ସଂଖ୍ୟା ବଢିବ । ସେପଟେ ରାଜନୀତିରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ବିଜେପି କାମ କରୁଛନ୍ତି ବୋଲି ଦଳର ଜଣେ ମହିଳା ନେତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.