ବ୍ରେକ୍ ଫେଲ୍ ହେବାରୁ ଆଠଟି ଗାଡିକୁ ଧକ୍କା ଦେଲା ବସ୍, ୪ ଆହତ

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ ୧୩।୦୫: ଅହମ୍ମଦାବାଦରେ ଭୟଙ୍କର ସଡକ ଦୁର୍ଘଟଣା। ଯୋଧପୁର ଛକ ନିକଟରେ ଅହମ୍ମଦାବାଦ ମ୍ୟୁନିସିପାଲିଟି ଟ୍ରାନ୍ସପୋର୍ଟ ସର୍ଭିସ (ଏମଟିଏସ) ବସ୍ ଏବଂ ଅନ୍ୟାନ୍ୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ବସଟି ଏକାସାଙ୍ଗରେ ଆଠଟି ଗାଡିକୁ ଧକ୍କା ଦେଇଥିଲା। ଏମଟିଏସ୍ ବସ୍ ଯୋଗୁଁ ହୋଇଥିବା ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ନେଇ କୁହାଯାଉଛି। ବସ୍ ଡ୍ରାଇଭରକୁ ଗିରଫ କରି ଅହମ୍ମଦାବାଦ ଟ୍ରାଫିକ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। 

ବସ୍‌ଟି ଅହମ୍ମଦାବାଦର ଗୁମା ଠାରୁ ହାଟକେଶ୍ୱରକୁ ଯାଉଥିଲା । ସୂଚନାନୁସାରେ, ଯେତେବେଳେ ଏହି ବସ୍ ଯୋଧପୁର ଛକ ନିକଟରେ ପହଞ୍ଚିଥିଲା, ସେତେବେଳେ ବସ୍ ର ବ୍ରେକ୍ ଫେଲ୍‌ ହୋଇଥିଲା। ଏହା ପରେ ବସ୍ ଗୋଟିଏ ପରେ ଗୋଟିଏ ଆଠଟି ଗାଡିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରର ତିନି ଜଣ ଏବଂ ଜଣେ ମୋଟରସାଇକେଲ ଆରୋହୀଙ୍କ ସମେତ ମୋଟ ଚାରି ଜଣ ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଏହି ସମୟ ମଧ୍ୟରେ ଲୋକମାନେ ବସ୍ ଚଳାଉଥିବା ଡ୍ରାଇଭରକୁ ଘଟଣାସ୍ଥଳରେ ଧରିଥିଲେ। ପୋଲିସ ଏମଟିଏସ ବସ୍ ଡ୍ରାଇଭରକୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.