ଚତୁର୍ଥ ଶ୍ରେଣୀ ଛାତ୍ରକୁ ଲୁହା ରଡ଼ରେ ମାଡ଼ ମାରି ଛାତ ଉପରୁ ଠେଲି ହତ୍ୟା କଲା ଶିକ୍ଷକ, ଥାନାରେ ମାମଲା
19/12/2022 at 10:05 PM

ବେଙ୍ଗାଲୁରୁ, ୧୯/୧୨: ବର୍ବରତାର ସୀମା ଟପିଲେ ଅତିଥି ଶିକ୍ଷକ । ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଲୁହା ରଡ୍ରେ ମାରି ମାରି ଦରମରା କଲେ, ଛାତ ଉପରୁ ଠେଲି ହତ୍ୟା କଲେ । ଏପରି ଏକ ନୃଶଂସତାର ଘଟଣା କର୍ଣ୍ଣାଟକ ଗାଦଗ୍ ଜିଲ୍ଲା ହାଡ୍ଲିନ୍ ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଅତିଥି ଶିକ୍ଷକଙ୍କ ନାମ ମୁଥାପ୍ପା ବୋଲି ଜଣାପଡ଼ିଛି । ସରକାରୀ ସ୍ୱିକୃତୀ ପ୍ରାପ୍ତ ଏକ ମଡେଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ପାଠ ପଢ଼ାଉଥିବା ବେଳେ ଏପରି କାଣ୍ଡ ଘଟାଇଛନ୍ତି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୃତ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ନାମ ଭାରତ ବାର୍କର । ଭାରତଙ୍କ ମାଆ ମଧ୍ୟ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ସେ ବିଦ୍ୟାଳୟ ପରିସରରେ ଥିବା ବେଳେ ତାଙ୍କ ପୁଅ ସହ ଏହି କାଣ୍ଡ ଘଟିଥିଲା । ଅତିଥି ଶିକ୍ଷକ ଜଣକ ଭାରତଙ୍କୁ ଲୁହା ରଡ୍ରେ ପିଟୁଥିବା ବେଳେ ତାଙ୍କ ମାଆ ଏଥିରେ ହସ୍ତକ୍ଷେପ କରିଥିଲେ । ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକାଇଥିଲେ ମଧ୍ୟ ସେ ମାନିନଥିଲେ । ଓଲଟା ତାଙ୍କୁ ମଧ୍ୟ ପିଟିଥିଲେ । ଯାହାଫଳରେ ସେ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ କିମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଅଭିଯୁକ୍ତ ଶିକ୍ଷକ ସେତେବେଳେ ଅମାନୁଷିକ ଭାବେ ଛାତ୍ରକୁ ପିଟି ଚାଲିଥିଲେ । ଖାଲି ସେଥିରେ ଶାନ୍ତି ହୋଇନଥିଲେ, ଛାତ୍ରକୁ ପ୍ରଥମ ମହଲାରୁ ତଳକୁ ପେଲି ଦେଇଥିଲେ । ଗୁରୁତର ଅବସ୍ଥାରେ ଛାତ୍ରକୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଛାତ୍ରିଟିର ମୃତ୍ୟୁ ହୋଇଛି । ଅନ୍ୟପଟେ ପୋଲିସ୍ ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଅତିଥି ଶିକ୍ଷକ ଏବେ ଫେରାର ଥିବା ଜଣାପଡ଼ିଛି ।