ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗ – ଜିଏସିଟି ଫାଙ୍କିବାକୁ ବେଧଡ଼କ ଚଳାଇଥିଲେ କଳା କାରନାମା
24/02/2020 at 8:05 PM

ଭୁବନେଶ୍ୱର/ଭଦ୍ରକ ୨୪।୦୨ – ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗ ପରେ ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଏବଂ ଭଦ୍ରକରେ ଥିବା ସାହୁ ଏଣ୍ଟରପ୍ରାଇଜର୍ସ ଉପରେ ଚଢଉ କରିଥିଲା କମର୍ସିଆଲ ଟ୍ୟାକ୍ସ ଏବଂ ଜିଏସଟି ବିଭାଗ । ଏହା ପରେ ମଧ୍ୟ ଏହି ଦୁଇଟି ସଂସ୍ଥାର ଆଉ କିଛି ଭିତିରି କାରବାର ସମ୍ପର୍କରେ ନ୍ୟୁଜ୍ 7 ହାତରେ ଲାଗିଛି ଠୋସ୍ ପ୍ରମାଣ । ସେ ସବୁ ଦିଗ ପ୍ରତି ମଧ୍ୟ ତଦନ୍ତକାରୀ ଟିମ୍ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି ।

କେତେବେଳେ ବିନା ବିଲ୍ରେ ଗ୍ରାହକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଲୁହା ରଡ଼ ବିକ୍ରି ହେଉଥିଲା ତ ଆଉ କେତେବେଳେ ଗୋଟିଏ ଓ୍ବେ ବିଲ୍ରେ ଗୋଟିଏ ଦିନରେ ସପ୍ଲାଏ ହେଉଥିଲା ୫ ପାଞ୍ଚ ଟ୍ରିପ୍ ମାଲ୍ । ଏଭଳି ଅଭିନବ ଉପାୟରେ କୋଟି କୋଟି ଟଙ୍କାର ଜିଏସିଟି ଫାଙ୍କିବାକୁ ବେଧଡ଼କ ଚଳାଇଥିଲେ କଳା କାରନାମା ।

ନ୍ୟୁଜ୍ 7ରେ ଏହି କଳାକାରନାମାର ପର୍ଦ୍ଦାଫାସ ହେବା ପରେ ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଏବଂ ଭୁବନେଶ୍ବର ମଞ୍ଚେଶ୍ବରରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ ପାଓ୍ବାର ସହ ଭଦ୍ରକରେ ଥିବା ସାହୁ ଏଣ୍ଟରପ୍ରାଇଜର୍ସ ଉପରେ ଚଢ଼ାଉ କରିଥିଲା କମର୍ସିଆଲ ଟ୍ୟାକ୍ସ ଏବଂ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ଼ ।

ତେବେ ତଦନ୍ତକାରୀ ଟିମ୍ ସାହୁ ଏଣ୍ଟରପ୍ରାଇଜର୍ସରେ ଥିବା କମ୍ପ୍ୟୁଟରର ହାର୍ଡ଼ ଡିସ୍କ ଜବତ କରିଥିଲେ ମଧ୍ୟ ଏହି ସଂସ୍ଥାର ମାଲିକ ସୁରେଶ ସାହୁ ତଦନ୍ତ ପୂର୍ବରୁ କମ୍ପ୍ୟୁଟର ହାର୍ଡ଼ ଡିସ୍କକୁ ବଦଳାଇଦେଇଥିବା କୁହାଯାଉଛି । ସେହିଭଳି ଖୋର୍ଦ୍ଧା ସାରୁଅ ଅଂଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ପ୍ଲାଣ୍ଟର ଏସବୁ ଅସାଧୁ କାରବାର ପାଇଁ ଆଉ ଏକ ସ୍ବତନ୍ତ୍ର ଅଫିସ ଖୋଲାଯାଇଛି ଏବଂ ଏସବୁ କାରବାର ସମ୍ପର୍କରେ ସଂସ୍ଥାର ମାଲିକ ଏବଂ ତାଙ୍କ ଶାଳକ ବୁଝାବୁଝି କରୁଥିବା କମ୍ପାନୀର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି ।

ସେପଟେ ଭଦ୍ରକରେ ସାହୁ ଏଣ୍ଟରପ୍ରାଇଜର୍ସରେ ଯେଇଁ କଳା କାରବାର ହୁଏ ସେଥିପାଇଁ କରାଯାଇଥିବା ଏକ ହ୍ବାଟସ୍ ଆପ୍ ଗ୍ରୁପ୍ର ସୁରାକ୍ ଲାଗିଛି ନ୍ୟୁଜ୍ 7 ହାତରେ । ଦେଖନ୍ତୁ ଏହି ହ୍ବାଟସ୍ ଆପ୍ ଗ୍ରୁପ୍ରେ ପ୍ରାୟ ୫୦ଜଣ ବ୍ୟବସାୟୀ ଅଛନ୍ତି ଯେଉଁମାନେ କି ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ଆନନ୍ଦପୁର ଆଦି ଅଂଚଳରେ ଜିଏସଟି ଫାଙ୍କି ନିଜର ବ୍ୟବସାୟ ଜମାଇଥିବା କୁହାଯାଉଛି । ବିନା ବିଲ୍ରେ ହେଉଥିବା କାରବାର ସମ୍ପର୍କରେ ଏହି ହ୍ବାଟ୍ସ୍ ଆପ୍ ଗ୍ରୁପରେ ମେସେଜ୍ ପାସ୍ ହୋଇଥାଏ ।

ଭଦ୍ରକ ସାହୁ ଏଣ୍ଟରପ୍ରାଇଜର୍ସର ମାଲିକ ଖୋଦ୍ ସୁରେଶ ସାହୁ ଏହି ହ୍ବାଟସ ଆପ୍ ଗ୍ରୁପ୍ ଆଡମିନ୍ ଅଛନ୍ତି । ତେବେ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଏବଂ ସାହୁ ଏଣ୍ଟରପ୍ରାଇଜର୍ସରେ ରେଡ୍ କରିଥିବା କମର୍ସିଆଲ୍ ଟ୍ୟାକ୍ସ ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଏସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ଜରୁରୀ ହୋଇପଡ଼ିଛି ।