ରାଜ୍ୟରେ ୬ ମାସରେ ୨୭୬କୋଟି ଟଙ୍କାର ଜିଏସଟି ସ୍କାମ- ଦିନ ମଜୁରିଆ, ରିକ୍ସାବାଲା, ଗୃହିଣୀଙ୍କ ନାଁରେ ଫେକ୍‌ ଆକାଉଣ୍ଟ

Published By : Prameya-News7 Bureau | January 24, 2020 IST

କଟକ ୨୪।୦୧ - ଗଲା ୬ମାସ ଭିତରେ ରାଜ୍ୟରେ ଧରାପଡ଼ିଲାଣି ପାଖାପାଖି ୨୭୬କୋଟି ଟଙ୍କାର ଜିଏସଟି ଠକେଇ । ବିଭିନ୍ନ ଜାଲ୍‌ କମ୍ପାନୀ ନାଁରେ, ଫେକ୍‌ ଇନ୍‌ଭଏସ୍‌ରେ ଫେକ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବରରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ କରୁଥିବା ୭ ଠକ ବ୍ୟବସାୟୀଙ୍କୁ ଧରିଲାଣି ବାଣିଜ୍ୟକର ବିଭାଗ । ହେଲେ ପ୍ରଶ୍ନ ଉଠୁଛି ଏଭଳି ଠକେଇ ଉପରେ କେମିତି ଲାଗିପାରିବ ରୋକ୍‌ ।  

ଫେକ୍‌ କମ୍ପାନୀ, ଫେକ୍‌ ଇନ୍‌ଭଏସ୍‌, ଫେକ୍‌ ବ୍ୟାଙ୍କ ଆକାଉଣ୍ଟ୍‌ । GST ଠକିବାର ନୂଆ ଫଣ୍ଡା ଆପଣାଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ଗଲା ୬ମାସ ଭିତରେ ରାଜ୍ୟରେ ଧରାପଡ଼ିଲାଣି ପାଖାପାଖି ୨୭୬କୋଟି ଟଙ୍କାର GST ଠକେଇ ।  ଏଭଳି କାରନାମା କରିଥିବା ୭ କାର୍ପଟଦାରଙ୍କୁ ଧରିଲାଣି ବାଣିଜ୍ୟକର ବିଭାଗ । ଏମାନେ ମାଲ୍‌ ବିକ୍ରି ଖରିଦ୍‌ର ମିଛ କାରବାର କରି କୋଟି କୋଟି ଟଙ୍କା ଟ୍ୟାକ୍ସ ଫାଙ୍କୁଥିଲେ । ହେଲେ ଏମାନଙ୍କ କାରସାଦିକୁ ଧରିଥିଲା ବାଣିଜ୍ୟକର ବିଭାଗ ।

୯ ଅଗଷ୍ଟ, ୨୦୧୯ ।୧୨କୋଟି ୬୪ଲକ୍ଷ ଟଙ୍କାର GST ଫାଙ୍କି ଗିରଫ ହୋଇଥିଲେ ଟିଟିଲାଗଡ଼ର ଇଣ୍ଟରନ୍ୟାସନାଲ ମାଇନ୍‌ସ ଓ ମିନରାଲସ୍‌ ମାଲିକ ତୀର୍ଥଙ୍କର ପଟେଲ । ୨୫ ଅକ୍ଟୋବର, ୨୦୧୯ । ଯାଜପୁର ବିରଜା ଷ୍ଟିଲ୍‌ ରାମଚନ୍ଦ୍ର ମଲିକ, ରାଉରକେଲାର ଦୀନଦୟାଲ ଅଗ୍ରଓ୍ବାଲ୍‌, ଆଦିତ୍ୟ କୁମାର ନାୟକ ଓ ଅତୁଲ ବନସଲଙ୍କୁ ଗରିଫ କରିଥିଲା ବାଣିଜ୍ୟକର ବିଭାଗ । ଦିନ ମଜୁରୀଆ, ରିକ୍ସାବାଲା, ଗୃହିଣୀଙ୍କ ନାଁ ଫେକ୍‌ ଆକାଉଣ୍ଟ ଖୋଲି ୨୦ଟି ଜାଲ୍‌ କମ୍ପାନୀ ମାଧ୍ୟମରେ ୧୩୮କୋଟି ଟଙ୍କାର GST ଫାଙ୍କିଥିଲେ । ୨୩ ଜାନୁଆରି, ୨୦୨୦ ।  ୧୨୩କୋଟି ଟଙ୍କାର GST ଠକେଇ ଅଭିଯୋଗରେ ୨ଜଣ ବ୍ୟବସାୟୀ ସୁବାଷ ସ୍ବାଇଁ, ଅମିତ୍‌ ଗେରେଭଆଲ୍‌ଙ୍କୁ ବାନ୍ଧିଛି ବାଣିଜ୍ୟକର ବିଭାଗ । ତେବେ ଟିକସ ଫାଙ୍କିର ଏହି ଫଣ୍ଡା କେମିତି ସମ୍ଭବ ହୋଇପାରୁଛି, ଏ ସମ୍ପର୍କରେ କ’ଣ କହୁଛନ୍ତି ଟ୍ୟାକ୍ସ କନ୍‌ସଲଟାଣ୍ଟ୍‌ ଆସନ୍ତୁ ଦେଖିବା ।

ଟିକସ ବ୍ୟବସ୍ଥାକୁ ସରଳିକରଣ କରିବାକୁ ସାରା ଦେଶରେ ଲାଗୁହେଲା ଜିଏସଟି । କିନ୍ତୁ ଏହି ବ୍ୟବସ୍ଥା ଭିତରେ ରହିଯାଇଥିବା କିଛି ଗଳାବାଟର ସାହାରା ନେଇ ଟ୍ୟାକ୍ସ ଠକିବାକୁ ଏଭଳି ଅଭିନବ ଫଣ୍ଡା ଆପଣାଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ଯାହା ଉପରେ ରୋକ୍‌ ଲାଗିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.