GST ଫ୍ରଡ୍ : ୨ ମାସରେ ଲକ୍ଷେ ୬୩ ହଜାର ପଞ୍ଜିକରଣ ରଦ୍ଦ, ୪ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଗିରଫ

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ ୧୨/୧୨ : ଜାଲ୍ ଜିଏସଟି ପଞ୍ଜୀକରଣ ହାସଲ କରିବା ପାଇଁ ନକଲି ଫର୍ମ ତିଆରି କରୁଥିବା ଅସାଧୁ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅକ୍ଟୋବର ଏବଂ ନଭେମ୍ବର ମାସରେ ପ୍ରାୟ  ୧ ଲକ୍ଷ ୬୩ ହଜାର ୪୨ ଟି ନକଲି ଜିଏସଟି ପଞ୍ଜୀକରଣକୁ ରଦ୍ଦ କରିଛନ୍ତି । ନୂଆ ଆକାଉଣ୍ଟ ଗୁଡିକ ଗତ ୬ ମାସ ହେଲା GSTR-3Bର ରିଟର୍ନ ଫାଇଲ କରିନାହାନ୍ତି ।

ଗତ ଏକ ମାସ ଧରି ଜିଏସଟି ଇଣ୍ଟେଲିଜେନ୍ସ୍ ଏବଂ CGST ନିର୍ଦ୍ଦେଶାଳୟ ଜିଏସଟି ନମ୍ବରର ଅପବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଆଧାରରେ ୧୩୨ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୪ ଜଣ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ମଧ୍ୟ ଅଛନ୍ତି ।

କେବଳ ସେତିକି ନୁହେଁ ଜିଏସଟି ଇଣ୍ଟେଲିଜେନ୍ସ୍ ଏବଂ CGST ନିର୍ଦ୍ଦେଶାଳୟ ପ୍ରାୟ ୪୫୮୬ଟି ନକଲି GSTIN​‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ୧୪୩୦ GSTIN​‌ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅକ୍ଷୟ ଜୈନ ନାମକ ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟକୁ ବିଶାଖାପାଟଣାରୁ ଗିରଫ କରାଯାଇଛି । ଅକ୍ଷୟ ବିରୁଦ୍ଧରେ ୧୪ ଟି ନକଲି ଜିଏସଟି ଫର୍ମ ତିଆରି କରି ପ୍ରାୟ ୨୦.୯୭ କୋଟି ଟଙ୍କାର ଜାଲ ସାର୍ଟିଫିକେଟ୍ ବାହାର କରିଥିବା ଅଭିଯୋଗ ହୋଇଥିଲା ।

ସରକାରୀ ସୂତ୍ର ଅନୁସାରେ ଯେଉଁ GSTIN ଗୁଡିକ ୬ ମାସ ଯାଏଁ GSTR-3B ଦାଖଲ କରିନାହାନ୍ତି ସେମାନଙ୍କୁ ପ୍ରଥମେ ନୋଟିସ ଦିଆଯାଇଥିଲା ଏବଂ ଏହା ପରେ ସେମାନଙ୍କର ପଞ୍ଜୀକରଣ ରଦ୍ଦ କରାଯାଇଛି । ଏହା ବାଦ ୨୧ ଅଗଷ୍ଟ ୨୦୨୦ ରୁ ୧୬ ନଭେମ୍ବର ୨୦୨୦ ଯାଏଁ ଯେଉଁମାନଙ୍କୁ ୭୨୦ ଡିମ୍ଡ ପଞ୍ଜିକରଣ ଜାରି କରାଯାଇନଥିଲା ଏବଂ ସେମାନଙ୍କର ଆଧାର ଭେରିଫିକେସନ୍ କରାଯାଇନଥିଲା ସେଥିମଧ୍ୟରୁ ୫୫ ପଞ୍ଜିକରଣରେ ତ୍ରୁଟି ଥିବା ଦେଖାଯାଇଥିଲା । ଯାହା ଫଳରେ ବର୍ତ୍ତମାନ ସେମାନଙ୍କର ପଞ୍ଜିକରଣ ରଦ୍ଦ କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.