ନଭେମ୍ବରରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ବିକ୍ରି, ପେଟ୍ରୋଲରେ ୧୧.୭ ଓ ଡିଜେଲରେ ବୃଦ୍ଧିହୋଇଛି ୨୭.୬ ପ୍ରତିଶତ

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ ୧।୧୨: କୃଷି କ୍ଷେତ୍ରର ଚାହିଦା ବୃଦ୍ଧି ସହ ଦେଶରେ ପେଟ୍ରୋଲ ଓ ଡିଜେଲ ବିକ୍ରି ନଭେମ୍ବର ମାସରେ ବଢିଛି। ଗୁରୁବାର ଜାରି ପେଟ୍ରୋଲିୟମ ଉଦ୍ୟୋଗର ପ୍ରାରମ୍ଭିକ ତଥ୍ୟ ଅନୁସାରେ ଗତମାସ (ଅକ୍ଟୋବର) ତୁଳନାରେ ପେଟ୍ରୋଲ  ବିକ୍ରିରେ ୧୧.୭ ପ୍ରତିଶତ ବୃଦ୍ଧି ସହ ୨୬.୬ ଲକ୍ଷ ଟନ ହୋଇଯାଇଛି। ଗତବର୍ଷ ଏହି ସମୟରେ ପେଟ୍ରୋଲ ବିକ୍ରି ୨୩.୮ ଲକ୍ଷ ଟନ ଥିଲା। ଏହି ବିକ୍ରି କୋଭିଡ ପ୍ରଭାବିତ ନଭେମ୍ବର ୨୦୨୦ ତୁଳନାରେ ୧୦.୭ ପ୍ରତିଶତ ଅଧିକ ହୋଇଥିବା ବେଳେ ମହାମାରୀ ପୂର୍ବ ଅର୍ଥାତ ନଭେମ୍ବର ୨୦୧୯ ତୁଳନାରେ ୧୬.୨ ପ୍ରତିଶତ ଅଧିକ।

ତେବେ ମାସିକ ଆଧାରରେ ପେଟ୍ରୋଲ ବିକ୍ରି ୧.୩ ପ୍ରତିଶତ ବଢିଛି। ଅକ୍ଟୋବର ମାସରେ ଉତ୍ସବ ଋତୁ ଯୋଗୁ ଚାହିଦା ବଢିବା ବିକ୍ରି ବୃଦ୍ଧିର କାରଣ ବୋଲି କୁହାଯାଇଛି। ସେହିପରି ଦେଶରେ ସବୁଠୁ ଅଧିକ ବ୍ୟବହୃତ ଇନ୍ଧନ ଡିଜେଲ ବିକ୍ରି ଗତ ମାସରେ ୨୭.୬ ପ୍ରତିଶତ ବଢି ୭୩.୨ ଲକ୍ଷ ଟନ ହୋଇଛି। ନଭେମ୍ବର ୨୦୨୦ ତୁଳନାରେ ଏହା ୧୭.୪ ପ୍ରତିଶତ ଅଧିକ ହୋଇଥିବା ବେଳେ କୋଭିଡ ପୂର୍ବ ସମୟ ନଭେମ୍ବର ୨୦୧୯ ତୁଳନାରେ ୯.୪ ପ୍ରତିଶତ ଅଧିକ ବୋଲି କୁହାଯାଇଛି।

{"id":715885,"width":838,"height":552,"sizeSlug":"full","linkDestination":"none"}

ସେପ୍ଟେମ୍ବର ୨୦୨୨ରୁ ମାସିକ ଆଧାରରେ ବିକ୍ରି ବଢିବା ଆରମ୍ଭ ହୋଇଥିଲା। ଚଳିତବର୍ଷ ଜୁନ ମାସ ପରେ ପେଟ୍ରୋଲ ଓ ଡିଜେଲ ବିକ୍ରି ବୃଦ୍ଧି ହେବାରେ ଲାଗିଛି। ଉଦ୍ୟୋଗ ସୂତ୍ର ଅନୁସାରେ ଦେଶରେ କୃଷି ଋତୁ ଯୋଗୁ ତୈଳର ଚାହିଦା ବୃଦ୍ଧି ହୋଇଛି। ରବି ଫସଲ ବୁଣା ସହିତ ଉତ୍ସବ ଋତୁରେ ଆର୍ଥିକ ଗତିବିଧିରେ ଅଭିବୃଦ୍ଧି ହୋଇଥିଲା। ଏଣୁ ଚାହିଦା ବୃଦ୍ଧି ହୋଇଛି। ତେବେ ବାହନ ଇନ୍ଧନ ବିକ୍ରି ଜୁଲାଇ ଓ ଅଗଷ୍ଟ ମାସରେ ମୌସୁମୀ ଓ ଚାହିଦା ହ୍ରାସ ଯୋଗୁ ବିକ୍ରି ହ୍ରାସ ହୋଇଥିଲା। ତେବେ ବିମାନ କ୍ଷେତ୍ର ଖୋଲିବା ସହ ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କାରବାରକୁ କୋଭିଡ ପୂର୍ବସ୍ତରକୁ ପହଞ୍ଚାଇ ଦେଇଛି।

ଏଣୁ ନଭେମ୍ବରରେ ବିମାନ ଇନ୍ଧନ (ଏଟିଏଫ) ଚାହିଦା ୨୧.୫ ପ୍ରତିଶତ ବୃଦ୍ଧି ହୋଇ ୫୭୨,୨୦୦ଟନକୁ ପହଞ୍ଚିଛି। ନଭେମ୍ବର ୨୦୨୦ ତୁଳନାରେ ଏହା ୬୦.୮ ପ୍ରତିଶତ ଅଧିକ। ତେବେ କୋଭିଡ ପୂର୍ବ ଅର୍ଥାତ ନଭେମ୍ବର ୨୦୧୯ ତୁଳନାରେ ୧୩.୩ ପ୍ରତିଶତ କମ। ସୂତ୍ର ଅନୁସାରେ ଘରୋଇ ବିମାନ ଯାତ୍ରା କୋଭିଡ ପୂର୍ବସ୍ତରକୁ ଫେରି ଆସିଛି। ତେବେ କେତେକ ଦେଶରେ ଜାରି କୋଭିଡ କଟକଣା ଯୋଗୁ ଅନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି।

{"id":715886,"sizeSlug":"full","linkDestination":"none"}

ତଥ୍ୟ ଅନୁସାରେ ନଭେମ୍ବରରେ ରୋଷେଇ ଗ୍ୟାସ୍ (ଏଲପିଜି) ବିକ୍ରି ବାର୍ଷିକ ଆଧାରରେ ୭.୮ ପ୍ରତିଶତ ବୃଦ୍ଧି ସହ ୨୫.୫ ଲକ୍ଷ ଟନକୁ ପହଞ୍ଚିଛି। ନଭେମ୍ବର ୨୦୨୦ ତୁଳନାରେ ଏଲପିଜି ଖର୍ଚ୍ଚ ୮.୪ ପ୍ରତିଶତ ଅଧିକ ଥିବା ବେଳେ ନଭେମ୍ବର ୨୦୧୯ ତୁଳନାରେ ୧୩.୩ ପ୍ରତିଶତ ଅଧିକ। ମାସିକ ଆଧାରରେ ଦେଖିବାକୁ ଗଲେ ଗତ ଅକ୍ଟୋବରର ୨୩.୯ ଲକ୍ଷ ଟନ ତୁଳନାରେ ୭.୦୭ ପ୍ରତିଶତ ବୃଦ୍ଧି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.