ଲକ୍ଷ୍ନୌ: ଦୁର୍ଗା ମେଢ଼ ଭସାଣୀ ଶୋଭାଯାତ୍ରା ସମୟରେ ଦୁଇ ସମୁଦାୟ ମଧ୍ୟରେ ହଙ୍ଗାମା। ଉତ୍ତର ପ୍ରଦେଶ ବହରାଇଚରେ ମହସୀର ମହାରାଗଞ୍ଜରେ ରବିବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଘଟିଛି ଏହି ଘଟଣା। ଏଠାରେ ମା’ଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଚାଲିଥିବା ସମୟରେ ଅନ୍ୟ ସମୁଦାୟର ଲୋକେ ଡିଜେ ବନ୍ଦ କରିବାକୁ କହିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଅନ୍ୟ ସମୁଦାୟର ଜଣେ ଗୁଳି ଚଳାଇବାରୁ ରାମ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।ଏହି ଦଙ୍ଗାରେ ଅନେକ ଆହତ ମଧ୍ୟ ହୋଇଛନ୍ତି।
ଆହୁରି ମଧ୍ୟ, ମହାରାଜଗଞ୍ଜରେ ଗୋଟିଏ ଘର ଏବଂ କିଛି ବାଇକରେ ନିଆଁ ଲଗାଇଦେଇଥିଲେ ହିଂସାକାରୀ। ଏହି ପଥରମାଡ଼ରେ ଅନେକ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ଦୁଇ ଘଣ୍ଟା ପରେ ଡିଏମ ମୋନିକା ରାନୀ, ଏସପି ବୃନ୍ଦା ଶୁକ୍ଳା ପୋଲିସ ଟିମ୍ ଏବଂ ପିଏସିଙ୍କ ସହ ପହଞ୍ଚି ଦଙ୍ଗାକାରୀଙ୍କୁ ଘଟଣାସ୍ଥଳରୁ ତଡ଼ିବାକୁ ଉଦ୍ୟମ କରୁଛି।
ସୂଚନା ଅନୁଯାୟୀ, ହରଦୀ ଥାନାର ମହରାଜଗଞ୍ଜ ଦେଇ ପ୍ରାୟ ୧୮ ଗାଁର ଦୁର୍ଗା ମେଢ଼, ଗୌରିୟା ଘାଟକୁ ବିସର୍ଜନ ପାଇଁ ବାହାରିଥିଲେ। ଏହି ସମୟରେ ମହରାଜଗଞ୍ଜଠାରେ ଅନ୍ୟ ସମୁଦାୟର ଧର୍ମସ୍ଥଳୀ ନିକଟରେ କିଛି ଲୋକ ଏକତ୍ର ହୋଇ ଡିଜେ ବନ୍ଦ କରିବାକୁ କହିଥିଲେ। ଯାହାକୁ ନେଇ ବଚସା ଓ ପରେ କଥା ପଥରମାଡ଼କୁ ଯାଇଥିଲା। ଆଉ ଏହାରି ମଧ୍ୟରେ ଅନ୍ୟ ସମୁଦାୟର ଜଣେ ବ୍ୟକ୍ତି, ରେହୁବା ମନସୁରର ରାମ ଗୋପାଲ ମିଶ୍ରାଙ୍କୁ ଗୁଳି ମାରିଥିଲେ।