ବାଲେଶ୍ବର ନୀଳଗିରି ଅଞ୍ଚଳରେ ଝାଡଖଣ୍ଡୀ ହାତୀପଲ ; ବ୍ୟାପକ ଧାନ ଫସଲ ନଷ୍ଟ
30/10/2018 at 9:06 AM

ବାଲେଶ୍ବର ୩୦|୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳରେ ଝାଡ଼ଖଣ୍ଡୀ ହାତୀପଲ ପସିଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୭୫ରୁ ଅଧିକ ହାତୀପଲ ନୀଳଗିରି ଆଡକୁ ଦୁଇ ପୃଥକ ଦଳରେ ଆସୁଥିବା ଜଣାପଡିଛି। ଗୋଟିଏ ପଲରେ ୪୦ରୁ ଉର୍ଦ୍ଧ୍ବ ହାତୀ ମୟୁରଭଂଜ ସୀମାନ୍ତ ପଶ୍ଚିମବଙ୍ଗ କାଶିଆ ଜଙ୍ଗଲରେ ଥିବାବେଳେ ଅନ୍ୟ ପଲରେ ୩୪ଟି ହାତୀ ନୀଳଗିରି ସୀମାନ୍ତ ଅସନବଣି ଜଙ୍ଗଲରେ ରହିଥିଲେ। ଗତକାଲି ରାତ୍ରରେ ହାତୀପଲ ଜଙ୍ଗଲରୁ ବାହାରି ନଖରା ପୋଲ ପାରହୋଇ ଥିଲେ। ପରେ ଦୁର୍ଗାଦେବୀ ଦେଇ ସୋନନଦୀ ଦେଇ କାଠପାଳ ପାରହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପସିଛନ୍ତି। ଏମାନଙ୍କ ଭିତରେ ଦୁଇଟି ଛୁଆ ହାତୀ ଥିବା ଜଣାପଡିଛି। ଆସିବା ରାସ୍ତାରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଏବେ ଧାନଫସଲ ପାଚି ନଥିବାରୁ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ହାତୀ ଆସିବା ପରେ ଅଂଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ବନବିଭାଗ ତରଫରୁ ହାତୀ ଉପଦ୍ରବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି।