ସରକାରୀ ଜାଗାରେ ସାପ ଖେଳାଇବା ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର, ଗୋଟିଏ ପ୍ଲାଟୁନ୍ ପୋଲିସ୍ ମୁତୟନ
17/12/2022 at 11:14 PM

ଜଳେଶ୍ଵର: ସରକାରୀ ଜାଗାରେ ସାପ ଖେଳେଇବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ୫ ଗୁରୁତର ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଉଭୟ ପକ୍ଷରୁ ୫ଜଣ ଥାନାରେ ଅଟକ ରଖାଯାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧୀଛକ ଠାରେ। ଆଜି ଜଣେ ସାପୁଆକେଳା ଗାନ୍ଧୀଛକ ଓ ବାଲେଶ୍ୱର ମୁଖ୍ୟରାସ୍ତା କଡରେ ନିଜର ପସରା ମେଲାଇ ସାପ ଖେଳ ଦେଖାଉଥିଲେ।
ଏହି ସମୟରେ ଶେଖ ଜମସୁର ନାମକ ଜଣେ ଯୁବକ ସାପ ଖେଳାଳିଙ୍କୁ ଗାଳି ଗୁଲଜ କରିବା ସହିତ ଗୋଇଠା ମାରି ସାପୁଆଙ୍କ ପସରା ଭାଙ୍ଗିଥିଲେ। ପରେ ସାପଖେଳ ଦେଖୁଥିବା ଲୋକ ଏବଂ ଜମସୁର ପରିବାର ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ପରେ ମାରପିଟ୍ ଆରମ୍ଭ ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ପଥର ବର୍ଷା ହେବା ସହିତ ଠେଙ୍ଗାରେ ପିଟା ମରା ହୋଇ ବହୁ ଲୋକ ଆହତ ହୋଇଥିବା ବେଳେ ଉଭୟ ୫ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।
ଗୁରୁତର ଆହତ ମାନେ ହେଲେ ଶେଖ ମନିରୁଦ୍ଦିନ, ଶେଖ କାଲା, ଶେଖ ସଫିରୁଦ୍ଦିନ, ଶେଖ ନସିରୁଦ୍ଦିନ, ଶେଖ ଜମସୁର ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିଥିଲା। ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ବେଳେ ବସ୍ତା ପୋଲିସ ୫ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।