କରୁଣମୟ ଏବେ ତିତିଲି କ୍ଷତିଗ୍ରସ୍ତ ଗଜପତି ଜିଲ୍ଲା : ଖାଲି ଭଙ୍ଗାଘର, ଉଜୁଡା ଫସଲ ଆଉ ଆତ୍ମୀୟଙ୍କୁ ହରାଇବାର କୋହ

Published By : Prameya-News7 Bureau | October 27, 2018 IST

ପାରଳାଖେମୁଣ୍ଡି ୨୭|୧୦: ତିତଲି ଚାଲିଯିବାର ପ୍ରାୟ ୧୫ଦିନ ବିତିସାରିଛି  । ବାତ୍ୟା ଆଶ୍ରୟସ୍ଥଳି ଗୁଡିକ ଧିରେ ଧିରେ ବନ୍ଦ ହେବାରେ ଲାଗିଛି  । ନିଜର ଝାଟି ମାଟିର ସଂସାରକୁ ଫେରିବାକୁ ବାତ୍ୟା କ୍ଷତିଗ୍ରସ୍ତ ମାନେ ଗାଁ ମୁହାଁ ହେଲେଣି  । ହେଲେ ତିତଲିର ତାଣ୍ଡବରେ ଉଜୁଡି ଯାଇଥିବା ସଂସାରକୁ ସଜାଡୁଥିବା ବେଳେ ସେହି କାଳରାତ୍ରର କଥାକୁ ମନପକାଇ ଆତଙ୍କିତ ହୋଇପଡୁଛନ୍ତି  । ହରାଇଥିବା ଆତ୍ମିୟ ସ୍ବଜନଙ୍କୁ ଝୁରି ହେଉଛନ୍ତି ଲୋକେ  ।   [gallery ids="52044,52043,52042"] ତିତଲିର ତାଣ୍ଡବରେ ଛାରଖାର ହୋଇଯାଇଛି ପ୍ରକୃତିର କୋଳରେ ବଢିଥିବା ଆଦିବାସୀ ମଣିଷଙ୍କ ଜୀବନ ଜୀବିକା, ଘରଦ୍ବାର ସବୁକିଛି  । ଛଡାଇ ନେଇଛି ଆତ୍ମୀୟ ସ୍ବଜନଙ୍କୁ  । ବାତ୍ୟା ପରେ ପ୍ରଶାସନ ଏମାନଙ୍କ ନିକଟରେ ପହଁଚି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖିଥିଲା  । ହେଲେ ଇତି ମଧ୍ୟରେ ବିତି ଯାଇଛି ଅନେକ ଦିନ  । ବନ୍ଦ ହେବାକୁ ବସିଲାଣି ବାତ୍ୟା ଆଶ୍ରୟ କେନ୍ଦ୍ର  । ନିଜ ପେଟ ପାଇଁ ନିଜେ କଷ୍ଟ କରି ଦାନ ଯୋଗାଡ କରୁଥିବା ଆଦିବାସୀ ମଣିଷ ମଧ୍ୟ ଅଧିକ ଦିନ ସରକାରୀ ରିଲିଫ ଖାଇ ବସିବାକୁ ଚାହୁଁନାହାଁନ୍ତି  । ତେଣୁ ନିଜ ଭିଟାମାଟିକୁ ସେମାନେ ଫେରିଛନ୍ତି  । ଏଭଳି ଏକ ଦୃଶ୍ୟ ଗଜପତି ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ଦେଖିବାକୁ ମିଳିଛି  । [gallery ids="52045,52046,52047"] ହେଲେ ଗାଁରେ ରହିବା ପାଇଁ ଘର ଖଣ୍ଡିଏ ନାହିଁ  କି ବ୍ୟବହାର ପାଇଁ କୌଣସି ସାମଗ୍ରୀ ନାହିଁ  । ତେଣୁ ନିଜର ଝାଟି ମାଟିର ସଂସାରକୁ ସଜାଡିବା ପାଇଁ ଆଦିବାସୀ ମାନେ ଆରମ୍ଭ କରିଦେଇଛନ୍ତି କାମ  । ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଘର ଯୋଗାଇଦେବା କିମ୍ବା ଘର ନିର୍ମାଣ ପାଇଁ ସହାୟତା ଯୋଗାଇଦେବା ସରକାର ଘୋଷଣା କରିଛନ୍ତି ସତ, ହେଲେ ଏହା କେବେ ମିଳିବ ତାହା ସେମାନେ ଜାଣନ୍ତି ନାହିଁ  । ତେଣୁ ନିଜ ଉଦ୍ୟମରେ ନିଜ ଘର ନିର୍ମାଣ କରି ବଂଚିବାକୁ ଚେଷ୍ଟା କରୁଛନ୍ତି ଏହି ଆଦିବାସୀ ମାନେ  । [gallery ids="52048,52049,52050"] ତିତଲି ତାଣ୍ଡବରେ ଗଜପତି ଜିଲ୍ଲାର ୫୧ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  । ସେଥିମଧ୍ୟରେ ୧୩ଜଣ ଶିଶୁ ରହିଥିବା ବେଳେ ୧୪ଜଣ ମହିଳା ଏବଂ ୨୪ଜଣ ପୁରଷ ରହିଥିବା କୁହାଯାଉଛି  । କେବଳ ସେତିକି ନୁହେଁ , ୭ଟି ପରିବାରକୁ ଛାରଖାର କରିଦେଇଛି ଏହି ବାତ୍ୟା  । ସେହିଭଳି ୫ଜଣ ଶିଶୁଙ୍କୁ କରିଦେଇଛି ଅନାଥ  । ୧୦ତାରିଖର ରାତ୍ରିରେ ହୋଇଥିବା ବାତ୍ୟା ଜନିତ ପବନ ଏବଂ ବର୍ଷା ରକ୍ଷା ପାଇବା ପାଇଁ ମହେନ୍ଦ୍ରଗିରି ପାଦ ଦେଶ ଅଂଚଳର ଲୋକେ ଯିଏ ଜୁଆଡେ ପାରିଲେ ଦୌଡିଲେ  । [gallery ids="52051,52052,52053"] ସକାଳ ହେଲା ବେଳକୁ ଗାଁ ହୋଇଯାଇଛି ଛାରଖାର  । ନିଜ ପାଖରୁ ଅନେକ ଦୂରକୁ ଚାଲିଯାଇଛନ୍ତି ନିଜର ଆତ୍ମୀୟ ସ୍ବଜନ  । ମାଟି ଅତଡା ଧସି ଗାଁରେ ପଡି ରହିଛି ଗଣ୍ଡା ଗଣ୍ଡା ପଥର  ଏବଂ ଏହା ତଳେ ଚାପି ହୋଇ ରହିଛନ୍ତି କାହାର ଭାଇ ତ ପୁଣି କାହାର ବାପା ମାଁ  । ବର୍ତମାନ ସ୍ଥିତିରେ ସୁଧାର ଆସିଛି  । ଲୋକେ ଗାଁ ମୁହାଁ ହେଇଛନ୍ତି  । ତେବେ ନିଜର ସବୁକିଛି ହରାଇଥିବା ଲୋକେ ସେହି ପଥର ଏବଂ ମାଟି ଭିତରେ ଖୋଜୁଛି ତାର ତେଲ ଲୁଣ ସଂସାର ନିତି ଦିନିଆ ସାମଗ୍ରୀକୁ  । ସେହିଭଳି ସେହି କାଳରାତ୍ରୀର କଥାକୁ ମନେ ପକାଇ କୋହରେ ଭାଙ୍ଗି ପଡୁଥିବା ଆଦିବାସୀ ନିଜର ଭବିଷତ୍ୟ ଗଢିବାକୁ ଆଶା ରଖି ପୁଣି ଅଣ୍ଟା ସଳଖରେ ଛିଡା ହେବା ପାଇଁ ପ୍ରୟାସ କରୁଛି  । [gallery ids="52054,52055,52056"] ଲୋକଙ୍କ ସମସ୍ୟାଙ୍କୁ ନେଇ ଜିଲ୍ଲାପ୍ରଶାସନର କହିବା ହେଲା ବାତ୍ୟାରେ ଯେଉଁମାନେ ନିଜର ଜୀବନ ଜିବିକା ହରାଇଛନ୍ତି ସେମାନଙ୍କୁ ସରକାର ନିୟମ ଅନୁସାରେ ସହାୟତା ରାଶି ପ୍ରଦାନ କରାଯିବ  । ଯେଉଁମାନେ କାଜୁ କିମ୍ବା ଅନ୍ୟାନ୍ୟ ଫସଲ ଉତ୍ପାପାଦନ କରି ଜୀବିକା ନିର୍ବାହ କରିଥିଲେ ଉଦ୍ୟାନ ବିଭାଗକୁ ନିର୍ଦେଶ ଦିଆଯାଇଛି କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଆସିବା ପରେ ସରକାର ନିୟମ ମୁତାବକ ଲୋକଙ୍କୁ ସାହାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି  । ପ୍ରକୃତି କୋଳରେ ବଢି ପ୍ରକୃତିକୁ ପୂଜା କରୁଥିବା ଆଦିବାସୀ ମଣିଷ ସେହି ପ୍ରକୃତିର ତାଣ୍ଡବରେ ହୋଇଯାଇଛନ୍ତି ଛାରଖାର  । ତଥାପି ପ୍ରକୃତିକୁ ଭଲ ପାଉଥିବା ମଣିଷ ପୁଣିଥରେ ତାରି କୋଳକୁ ଫେରିଯାଉଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.