ସ୍ୱାଧୀନତା ଦିବସରେ କାଶ୍ମୀରରେ ଦୁଇ ଆତଙ୍କବାଦୀ ଆକ୍ରମଣ, ପୋଲିସକର୍ମୀ ଏବଂ ନାଗରିକ ଆହତ

Published By : Prameya-News7 Bureau | August 15, 2022 IST

କାଶ୍ମୀର: ସ୍ୱାଧୀନତା ଦିବସରେ ଜାମ୍ମୁ କାଶ୍ମୀରର ବଡଗାମ ଏବଂ ଶ୍ରୀନଗରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସକର୍ମୀ ଥିବା ବେଳେ ଜଣେ ସାଧାରଣ ନାଗରିକ ଅଛନ୍ତି । ଦୁଇଟି ଯାକ ଆକ୍ରମଣରେ ଆତଙ୍କୀମାନେ ଗ୍ରେନେଡ ବ୍ୟବହାର କରିଥିଲେ। ବଡଗାମର ଗୋପାଲପୁରା ଚନ୍ଦୁରା ଅଞ୍ଚଳରେ କରଣ କୁମାର ସିଂ ନାମକ ଜଣେ ବ୍ୟକ୍ତି ଆକ୍ରମଣରେ ଆହତ ହୋଇଛନ୍ତି । ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରିଥିବା ବେଳେ ଆତଙ୍କୀ ଧରା ପଡି ନାହାନ୍ତି । ଆହତ ସିଂଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ଏହି ଆକ୍ରମଣର କିଛି ସମୟ ପରେ ଆତଙ୍କୀମାନେ ଶ୍ରୀନଗରର ବାତାମାଲୁ ଅଞ୍ଚଳରେ ପୋଲିସ କଣ୍ଟ୍ରୋଲ ରୁମ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏଥିରେ ଜଣେ ପୋଲିସକର୍ମୀ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀ ପୂରା ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ଅଧ ଘଣ୍ଟା ଭିତରେ ଏହି ଦୁଇ ଆକ୍ରମଣ ହୋଇଥିଲା । ପ୍ରଥମ ଆକ୍ରମଣ ରାତି ୯ଟା ୫ ମିନିଟରେ ହୋଇଥିବା ବେଳେ ଦ୍ୱିତୀୟ ଆକ୍ରମଣ ୯.୩୫ ମିନିଟରେ ହୋଇଥିଲା । ପୂରା ଆଞ୍ଚଳରେ ଘେରାବନ୍ଦୀ କରାଯାଇଥିବା କାଶ୍ମୀର ପୋଲିସ ଟ୍ୱିଟ କରି ସୂଚନା ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.