୫ ବର୍ଷରେ ହଜିଯିବ ଗ୍ରେଟ୍ ସଲଟ୍ ଲେକ୍, ଛାରଖାର ହେବ ବାଂଲାଦେଶର ହେନ୍ତାଳବଣ
24/04/2023 at 12:47 PM

ନୂଆଦିଲ୍ଲୀ ୨୪/୦୪: ଜଳବାୟୁ ପରିବର୍ତ୍ତନ ଯୋଗୁ ବିପୁଳ ମାତ୍ରାରେ ବଢିଚାଲିଛି ବିଶ୍ୱତାପନ । ଯଦି ଏମିତି ଜାରିରୁହେ, ତେବେ ଆଗକୁ ବିନାଶ ନିଶ୍ଚିତ । ଆମେରିକାର ବିଶାଳ ହ୍ରଦଠାରୁ ବାଂଲାଦେଶର ହେନ୍ତାଳ ବଣ ପର୍ଯ୍ୟନ୍ତ ସବୁକିଛି ହୋଇଯିବ ଛାରଖାର । ରେକର୍ଡ ସ୍ତରକୁ ଖସିଆସିଛି ଗ୍ରେଟ୍ ସଲ୍ଟ ଲେକ୍ର ଜଳସ୍ତର । ଆଗାମୀ ୫ ବର୍ଷରେ ଏହା ସମ୍ପୂର୍ଣ୍ଣ ହଜିଯିବ ।
ତାପମାତ୍ରା ବଢ଼ିଚାଲିଲେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ୟୁରୋପର ସର୍ବବୃହତ ପର୍ବତମାଳା ଆଲ୍ପସ ଏହାର ୭୦% ପର୍ଯ୍ୟନ୍ତ ବରଫ ହରାଇ ବସିବ । ସେତିକି ନୁହେଁ, ସମୁଦ୍ର ଜଳସ୍ତର ବଢ଼ିବା ଏବଂ ଅତ୍ୟନ୍ତ ଖରାପ ପାଣିପାଗ ଯୋଗୁ ମହାବଳ ବାଘ ବି ଲୋପ ପାଇଯିବେ । ନିକଟରେ ସଦ୍ୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ବିଶ୍ୱର ଏମିତି କୌଣସି ସ୍ଥାନ ନାହିଁ, ଯାହା ଜଳବାୟୁ ସଂକଟରୁ ସୁରକ୍ଷିତ ରହିଛି ।
ସବୁଠି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖାଦେଲାଣି । ତ୍ରାହି ତ୍ରାହି ଡାକିଲେଣି ଜୀବଜଗତ । ଉଭୟ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ପ୍ରକାଶିତ ରିପୋର୍ଟରେ ୧୬ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ କଥା ଦର୍ଶାଯାଇଛି । ଯେଉଁମାନେ ଜଳବାୟୁ ସଂକଟର ଫାଶରେ ପଡ଼ିଛନ୍ତି । ଏମାନେ ଧୀରେ ଧୀରେ ନିଃଶେଷ ହେବାରେ ଲାଗିଛନ୍ତି । ସ୍ଥିତି ଏପରି ହୋଇଛି ଯେ ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ ସର୍ବାଧିକ ବେଗରେ ଉତ୍ତପ୍ତ ହେଉଛି ।
ବରଫ ଦ୍ରୁତ ଗତିରେ ତରଳୁ ଥିବାରୁ ଅନେକ ପ୍ରାଣୀ ସେମାନଙ୍କ ବାସସ୍ଥଳୀ ହରାଇ ବସୁଛନ୍ତି । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ କଲୋରାଡ଼ୋ ନଦୀ ଏବଂ ଚୀନ୍ର ପର୍ବତମାଳା ପର୍ଯ୍ୟନ୍ତ ସବୁ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି । ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ, ମରୁଡ଼ି ଓ ଅଦିନିଆ ଝଡ଼ ଆଦି ଯୋଗୁ କେତେକ ସ୍ୱତନ୍ତ୍ର ପ୍ରଜାତିର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଜଳବାୟୁ ପରିବର୍ତ୍ତନ ବିରୋଧରେ ସମୁଦ୍ର ହିଁ ସବୁଠୁ ବଡ଼ ଅସ୍ତ୍ର ସାଜିଥାଏ । କାରଣ ଏହା ବିଶ୍ୱର ଅତ୍ୟଧିକ ଉତ୍ତାପକୁ ହ୍ରାସ କରିଥାଏ । କିନ୍ତୁ ଉତ୍ତପ୍ତ ସମୁଦ୍ର ଓ ବର୍ଦ୍ଧିତ ଜଳସ୍ତର ସାମୁଦ୍ରିକ ଜୀବନକୁ ତିଳତିଳ କରି ନଷ୍ଟ କରିପକାଉଛି । ବିଧ୍ୱଂସକାରୀ ଝଡ଼ବାତ୍ୟାର ଏହା କାରଣ ସାଜୁଛି ।
ଏହି ବିନାଶକାରୀ ବର୍ଦ୍ଧିତ ଉତ୍ତାପ ଯୋଗୁ ଉତ୍ତର ଆଟଲାଣ୍ଟିକ ସମୁଦ୍ରରେ ‘ଆଟଲାଣ୍ଟିକ୍ ପଫିନ୍’ ନାମକ ସାମୁଦ୍ରିକ ପକ୍ଷୀ ବିଲୁପ୍ତ ହୋଇଯିବ । ସେହିଭଳି ଦକ୍ଷିଣ ପୂର୍ବ ବ୍ରାଜିଲରେ ଏକ ବିରଳ କିସମର ଆରାବିକା କଫି, ନରୱେ ଓ ଉତ୍ତର ପୋଲ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ବରଫ ନିଶ୍ଚିହ୍ନ ହୋଇପଡ଼ିବ । କାରଣ ଏହା ପୃଥିବୀର ଦ୍ରୁତତମ ଉତ୍ତପ୍ତ ସ୍ଥାନ ପାଲଟିଛି । ଗତବର୍ଷ ଏଠାରେ ରେକର୍ଡ ମାତ୍ରାରେ ବରଫ ତରଳିଥିଲା ।
ଅଷ୍ଟ୍ରେଲିଆର ଗ୍ରେଟ୍ ବ୍ୟାରିଅର୍ ରିଫ୍ରେ ଥିବା ରେନ୍ ଦ୍ୱୀପ ଉପରେ ବିଶ୍ୱତାପନର ଗୁରୁତର ପ୍ରଭାବ ପଡ଼ିଛି । ଏହାଯୋଗୁ ସେଠାରେ ରହୁଥିବା ବିରଳ ସବୁଜ କଇଁଛ ଲୋପ ପାଇବାକୁ ବସିଛି । ସେମାନଙ୍କ ସଂଖ୍ୟା ଅନେକ ମାତ୍ରାରେ କମିଲାଣି । ବର୍ଦ୍ଧିତ ସାମୁଦ୍ରିକ ଜଳସ୍ତର ଓ ଶକ୍ତିଶାଳୀ ଝଡ଼ ସେମାନଙ୍କ ବଞ୍ଚିବାରେ ବାଧକ ସାଜିଛି । ଏହାବ୍ୟତୀତ ଚୀନ୍ରେ ବାସ କରୁଥିବା ବିଶାଳ ପାଣ୍ଡା, ରୁଷ୍ରେ ଥିବା ପ୍ରଶାନ୍ତ ମହାସାଗରୀୟ ୱାଲରୁସ, ମେକ୍ସିକୋର ମୋନାର୍କ ବଟରଫ୍ଲାଏର ବିଲୋପ ଘଟିବ ।
କେତେକ ବିରଳ ପ୍ରଜାତିର ଉଦ୍ଭିଦ ବି ନଷ୍ଟ ହୋଇଯିବ । ତନ୍ମଧ୍ୟରେ ମାଡାଗାସ୍କରର ପଶ୍ଚିମ ତଟରେ ଥିବା ବାଓବାବ୍ ବୃକ୍ଷ ରହିଛି । ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବଢ଼ିବା କାରଣରୁ ସେଗୁଡ଼ିକ ଧୀରେ ଧୀରେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଆମେରିକାରେ ଥିବା ବିଶାଳ କଲୋରାଡୋ ନଦୀ ମରିଯିବାକୁ ବସିଛି । ଆମେରିକାରେ ଏହି ନଦୀ ୫୦ ଲକ୍ଷ ଏକର ଜମିକୁ ଜଳ ଯୋଗାଉଛି । ୪ କୋଟି ଲୋକ ଏଥିରୁ ଜଳ ପାଉଛନ୍ତି । ଦ୍ରୁତ ଗତିରେ ଏହା ଶୁଖିବାକୁ ବସିଛି । ଆମେରିକାର ଗ୍ରେଟ୍ ସଲ୍ଟ ଲେକ୍ ବି ଶୁଖିଯାଉଛି । ଦେଶର ଆଲାସ୍କାରେ ଥିବା କୋଟି କୋଟି ସଂଖ୍ୟାର ସ୍ନୋକ୍ରାବ୍ (ଏକ ପ୍ରଜାତିର କଙ୍କଡ଼ା)ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଦ୍ୱୀପ ଦେଶ କିରିବାଟି ନିଶ୍ଚିହ୍ନ ହେବାକୁ ଯାଉଛି । ଲୋକମାନେ ଘର ଛାଡ଼ି ଅନ୍ୟ ଦେଶରେ ଶରଣ ପଶିଲେଣି ।