ଏମିତି ବି ହୁଏ ! କବର ଖୋଳି ଶବଗୁଡିକର ମୁଣ୍ଡ କାଟିନେଲେ ଦୁର୍ବୁତ୍ତ, ପତ୍ତା ପାଉନି ପୋଲିସ

Published By : Prameya-News7 Bureau | February 04, 2021 IST

ଲକ୍ଷ୍ମୌ ୦୪/୦୨ : ଉତ୍ତର ପ୍ରଦେଶରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଅପରାଧ ସୀମା ଏଭଳି ବଢିଗଲାଣି ଯେ, ଏବେ ଉତ୍ତର ପ୍ରଦେଶରେ ଶବକୁ ବି ଛାଡୁନାହାନ୍ତି ଦୁର୍ବୁତ୍ତ । ସେହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ପିଲଖୁଆ କୋତବାଲୀ ଅଞ୍ଚଳରେ । ଏକ ସ୍ମଶାନରେ ପୋତାଯାଇଥିବା ୪ଟି କବର ଖୋଳି ସେଥିମଧ୍ୟରୁ ୨ ଜଣ ମହିଳାଙ୍କ ମୁଣ୍ଡ କାଟିନେଇଛନ୍ତି ଦୁର୍ବୁତ୍ତ ।

ଏହି ଖବର ପ୍ରସାରିତ ହେବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହା କୌଣସି ତାନ୍ତ୍ରୀକର କାମ ହୋଇଥାଇପାରେ । ଯିଏ କି ତନ୍ତ୍ରମନ୍ତ୍ର କରିବା ପାଇଁ ଏଭଳି ଭାବେ ଶବଗୁଡିକୁ ମାଟିତଳୁ ଖୋଳି ସେଗୁଡିକର ମୁଣ୍ଡ କାଟିନେଉଛି ।

ତେବେ ଦୁର୍ବୁତ୍ତମାନେ ମୋଟ୍‌ ୪ଟି କବର ଖୋଳିଥିଲେ ଏବଂ ସେଥିମଧ୍ୟରୁ ୨ଟି ଶବର ଭୁଣ୍ଡ କାଟିନେଇଥିଲେ । ଉକ୍ତ ଦୁଇ ଶବ ମଧ୍ୟରୁ ଜଣେ ହେଉଛନ୍ତି ହାଜୀ ମେହରବାନ୍‌ ଏବଂ ତାଙ୍କର ମୃତ୍ୟୁ ୨୦୨୦ ଅକ୍ଟୋବରରେ ହୋଇଥିଲା । ଅନ୍ୟ ଜଣେ ହେଉଛନ୍ତି ନୁରଜାହାଂ ବେଗମ୍‌ ଓ ତାଙ୍କର ମୃତ୍ୟୁ ପ୍ରାୟ ୫ ବର୍ଷ ପୂର୍ବେ ହୋଇଥିଲା । ଉଭୟ କବର ଚିହ୍ନଟ କରିଥିଲେ ମୃତକଙ୍କ ପରିବାର ଲୋକେ ।

ପୋଲିସ କହିଛି ଯେ, ମାମଲାର ଯାଞ୍ଚ ଚାଲୁରହିଛି । ସ୍ମଶାନରେ ମାଟି ଖୋଳି ଶବଗୁଡିକୁ କିଏ ବାହାର କରିଛି ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଗାଁ ଲୋକଙ୍କ କହିବା କଥା ଏଭଳି ଘଟଣା ଆଗରୁ କେବେ ହୋଇନଥିଲା । କେହି ତାନ୍ତ୍ରିକ ତନ୍ତ୍ର ବିଦ୍ୟା ପାଇଁ ଏଭଳି ଖପୁରୀ ନେଇଥାଇପାରନ୍ତି ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.