ନୂଆଦିଲ୍ଲୀ: UPI ୟୁଜର୍ସଙ୍କୁ ଝଟକା । UPI ମାଧ୍ୟମରେ ଆଉ ମନଇଛା କାରବାର କରିପାରେବେ ନାହିଁ ଗ୍ରାହକ । ଗୁଗୁଲ ପେ’, ଫୋନ୍ ପେ’, ପେ’-ଟିଏମ୍ ଓ ଅନ୍ୟ UPI ଟ୍ରାଞ୍ଜାକ୍ସନରେ ସୀମା ଧାର୍ଯ୍ୟ କରିଛି NPCI । ଏଥିରେ ଦିନକୁ ମାତ୍ର ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିପାରିବେ ।
ଦିନକୁ ଦିନ କ୍ୟାସ୍ ଲେସ୍ ହେଉଛି ଭାରତ । UPI ମାଧ୍ୟମରେ ବଢୁଛି କାରବାର । ଛୋଟ ଦୋକାନ ଠାରୁ ମାରମ୍ଭ କରି ହୋଲ୍ସେଲର, ରିଟେଲ୍ସ ମାନେ ଗୁଗୁଲ ପେ’, ଫୋନ୍ ପେ’, ପେ’-ଟିଏମ୍ ଓ ଅନ୍ୟ UPIରେ ନେଣଦେଣ କରୁଛନ୍ତି । ହେଲେ ଏହି ମନଇଛା କାରବାର ଉପରେ ଏବେ ଲାଗିଛି ରୋକ୍ । ଏଣିକି UPI ମାଧ୍ୟମରେ ମାତ୍ରାଧିକ ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଏହା ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଦୈନିକ ନେଣଦେଣର ସୀମା ନିର୍ଦ୍ଧାରଣ କରିଛି NPCI ।
NPCI ଗାଇଡ୍ଲାଇନ ମୁତାବକ, ଏଣିକି UPI ମାଧ୍ୟମରେ ଗୋଟିଏ ଦିନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ । କ୍ଷୁଦ୍ର ବ୍ୟାଙ୍କ୍ ତଥା କାନାରା ବ୍ୟାଙ୍କରେ UPI ମାଧ୍ୟମରେ ୨୫ହଜାର ଟଙ୍କା କାରବାର କରିହେବ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ UPI ମାଧ୍ୟମରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ହୋଇପାରିବ । ସେହିପରି ଗୋଟିଏ ଦିନରେ ୨୦ଟି ଟ୍ରାଞ୍ଜାକ୍ସନ ଧାର୍ଯ୍ୟ କରାଯାଇଛି। ଏହି ଲିମିଟ୍ ପାର୍ ହେବା ପରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।
ସେହିପରି ପେ’-ଟିଏମ୍ ମାଧ୍ୟମରେ ପ୍ରତିଦିନ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI କରିପାରିବେ । ଅଥବା ଏକ ଘଣ୍ଟାରେ ମାତ୍ର ୫ଟି ଟ୍ରାଞ୍ଜାକ୍ସନ ସହିତ ୨୦ହଜାର ଟଙ୍କାର କାରବାର କରିପାରିବେ । ସେହିପରି ଗୁଗୁଲ ପେ’ ମାଧ୍ୟମରେ ଗୋଟିଏ ଦିନରେ ୧୦ଟି ଟ୍ରାଞ୍ଜାକ୍ସନ ଏବଂ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କରବାର ଧାର୍ଯ୍ୟ କରାଯାଇଛି । ସେହିପରି ଫୋନ୍ ପେ’ରେ ୧୦ କିମ୍ବା ୨୦ଟି ଟ୍ରାଞ୍ଜାକ୍ସନ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ ।