ନୂଆଦିଲ୍ଲୀ ୫।୧୨: ଚାଷୀ ଓ ସରକାରଙ୍କ ମଧ୍ୟରେ ୫ମ ପର୍ଯ୍ୟାୟ ବୈଠକ ଶନିବାର ଦୀର୍ଘ ୫ ଘଣ୍ଟା ଧରି ଅନୁଷ୍ଠିତ ହୋଇଯାଇଛି। ତେବେ ବୈଠକରୁ କୌଣସି ଫଳାଫଳ ସାମ୍ନାକୁ ଆସି ନାହିଁ। ଚାଷୀଙ୍କ ଦାବି ଆଗରେ ସରକାର ନରମିଲେଣି। ହେଲେ ଚାଷୀ ନିଜ ଜିଦରେ ଅଟଳ। ତେବେ ସୋମବାର ପୁଣି ଏକ ବୈଠକ କରିବାକୁ ଚାହୁଁଛନ୍ତି ସରକାର। ହେଲେ ଚାଷୀ ଭାରତ ବନ୍ଦ ପରେ ବୈଠକ ହେବ ବୋଲି କହିଛନ୍ତି।
ସରକାର ଚାହୁଁଛନ୍ତି ସଂଶୋଧନ ସମାଧାନ, ହେଲେ ଚାଷୀ ରାଜି ହେଉନାହାନ୍ତି। ଏଣୁ ସରକାର ସୋମବାର ଡାକିଥିବା ବୈଠକ ଲାଗି ଚାଷୀ ସର୍ତ୍ତ ରଖିଛନ୍ତି। ଆଇନ ପ୍ରତ୍ୟାହାର ହେଲେ ଯାଇ ଚାଷୀ ଆନ୍ଦୋଳନରୁ ହଟିବେ ଏହି ସର୍ତ୍ତରେ ସୋମବାର ବୈଠକକୁ ଆସିବେ। ଚାଷୀମାନେ ୩ଟି ଆଇନ ବାତିଲ ଦାବିରେ ଦିଲ୍ଲୀ ଘେରାଉ କରିଛନ୍ତି। ଏଥିଲାଗି ଭାରତ ବନ୍ଦ ଆହ୍ୱାନ ମଧ୍ୟ ଦିଆଯାଇଛି। ତେବେ ଏଥି ଲାଗି କିଛି ସମୟ ଚାହୁଁଛନ୍ତି ସରକାର।
ଏଣୁ ସରକାର ଚାଷୀଙ୍କୁ ସୋମବାର ଆଗାମୀ ବୈଠକ ଲାଗି ଆମନ୍ତ୍ରଣ କରିଛନ୍ତି। ଚାଷୀମାନେ ଭାରତ ବନ୍ଦ ପରେ ଡିସେମ୍ବର ୯ ତାରିଖରେ ପରବର୍ତ୍ତି ବୈଠକ ହେବ ବୋଲି କହିଛନ୍ତି। ରବିବାର ସକାଳେ ଚାଷୀ ସଙ୍ଗଠନ ସିଂଘୁ ବର୍ଡରରେ ସରକାରଙ୍କ ସହ ବିଜ୍ଞାନ ଭବନରେ ହୋଇଥିବା ଆଲୋଚନା ନେଇ ଗଣମାଧ୍ୟମକୁ ଭେଟିବେ। ଚାଷୀମାନେ ଆଲୋଚନା ଆରମ୍ଭ ଦିନରୁ ନା ସରକାରଙ୍କ ଚା ପିଇଛନ୍ତି ନା ବିଜ୍ଞାନ ଭବନର ଖାଦ୍ୟ ଖାଇଛନ୍ତି। ଆମେ ପୁରା ଦେଶକୁ ଖୁଆଉଛୁ କହିଛନ୍ତି ଅନ୍ନଦାତା।
ଚାଷୀ ସେମାନଙ୍କ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅଣ ରାଜନୈତିକ କହିଛନ୍ତି। ଏଣୁ ଆନ୍ଦୋଳନ ସ୍ଥଳକୁ କୌଣସି ରାଜନୈତିକ ନେତାଙ୍କୁ ପ୍ରବେଶ କରାଇ ଦିଆଯାଉନି। ପ୍ରସଙ୍ଗରେ ବିରୋଧୀ ଦଳମାନେ ଚାଷୀଙ୍କୁ ସମର୍ଥନ କରୁଛନ୍ତି, ହେଲେ ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି ଚାଷୀ। ଚାଷୀମାନେ ଦିଲ୍ଲୀ ବାସିନ୍ଦାଙ୍କ ସହ ତାଙ୍କର କୌଣସି ଶତ୍ରୁତା ନଥିବା କହିଛନ୍ତି। ହେଲେ ଆନ୍ଦୋଳନ ଚାଲିଥିବା ପର୍ଯ୍ୟନ୍ତ ଦିଲ୍ଲୀ ସୀମା ବନ୍ଦ ରହିବ ବୋଲି କହିଛନ୍ତି। ତେବେ ଛୋଟ ସଡକରେ ରାଜଧାନୀକୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣରେ କୌଣସି ବାଧା ନାହିଁ ବୋଲି କହିଛନ୍ତି ଚାଷୀ।