ସାବଧାନ ! ମାର୍କେଟରେ ଘୁରୁଛି ସରକାରୀ ୱେବସାଇଟର କ୍ଲୋନ୍
25/05/2018 at 2:21 PM

ସାବଧାନ । ମାର୍କେଟରେ ଘୁରୁଛି ସରକାରୀ ୱେବସାଇଟର କ୍ଲୋନ୍ । ମାନେ ସରକାରୀ ୱେବସାଇଟକୁ ହ୍ୟାକ୍ ନ କରି ତାହାର ଅବିକଳ ୱେବସାଇଟ ତିଆରି କରି ଠକେଇ କରୁଛନ୍ତି ସାଇବର ଅପରାଧୀ । ଦେଖନ୍ତୁ ଏହି ୨ ୱେବସାଇଟକୁ । ଗୋଟିଏ ହେଉଛି ସରକାରଙ୍କ ଜଙ୍ଗଲ ବିଭାଗର ୱେବସାଇଟ www.odishaforest.in । ହେଲେ ସରକାରୀ ୱେବସାଇଟରେ ଗୋଟିଏ ଲେଟର s ଯୋଡ଼ି ତିଆରି ହୋଇଛି ଆଉ ଗୋଟିଏ ୱେବସାଇଟ www.odishaforests.in । ଯେଉଁଥିରେ ସରକାରୀ ୱେବସାଇଟର ସବୁ ତଥ୍ୟକୁ କପି କରି ଅପଲୋଡ କରାଯାଇଛି । ଯେମିତି ଲାଗିବ ଏଇଟା ହିଁ ସରକାରୀ । ଆଉ ଠକେଇ ଲାଗି ଟାର୍ଗେଟ କରାଯାଇଛି ବେରୋଜଗାର ଯୁବକଙ୍କୁ । ନକଲି ୱେବସାଇଟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ୧୭୨୫ଟି ଫରେଷ୍ଟ ଗାର୍ଡ ପଦବୀ ଲାଗି ନୋଟିଫିକେସନ ବାହାରିଛି । ଏପ୍ରିଲ ୨୫ରୁ ମେ ୨୫ ଯାଏଁ ଆବେଦନ ଲାଗି ବି କୁହାଯାଇଛି । ଆପ୍ଲାଏ କରିବା ବେଳେ ୧୦୦ ଟଙ୍କା ଡିପୋଜିଟ୍ ଲାଗି ବି କୁହାଯାଉଛି । ଅବିକଳ ସରକାରୀ ନୋଟିଫିକେସନ ଭଳି ପିଡିଏଫ ଫାଇଲରେ ଆବେଦରର ପୂରା ନିୟମାବଳୀ ଅପଲୋ ହେଉଛି । ଏହାକୁ ବିଶ୍ବାସ କରି ହଜାର ହଜାର ଯୁବକ-ଯୁବତୀ ଆବେଦନ ବି କରିଛନ୍ତି । ହେଲେ ସିଧାସଳଖ କହିବାକୁ ଗଲେ ସେମାନେ ଠକେଇର ଶିକାର ହୋଇଛନ୍ତି । ଏ ନେଇ କିନ୍ତୁ ଜଙ୍ଗଲ ବିଭାଗର ନିଦ ଭାଂଗିନି । ନ୍ୟୁଜ୭ ପକ୍ଷରୁ ପିସିସିଏଫଙ୍କୁ ଯୋଗାଯୋଗ କରିବା ପରେ ସେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ।