ଆସନ୍ତା ୬ ମାସରେ ବଦଳିଯିବ ଟୋଲ୍‌ ଆଦାୟ ପ୍ରକ୍ରିୟା, ନୂଆ ଟେକ୍ନୋଲୋଜି ଦ୍ବାରା କଟିବ ଟ୍ୟାକ୍ସ

Published By : Prameya-News7 Bureau | March 24, 2023 IST

ନୂଆଦିଲ୍ଲୀ, ୨୪/୦୩: ଦେଶରେ ଏକ୍ସପ୍ରେସ୍‌ଓ୍ବେ ଏବଂ ହାଇଓ୍ବେ ନିର୍ମାଣ ବଢ଼ିଛି। ଆଉ ଲୋକେ ମଧ୍ୟ ଯାଆସ ପାଇଁ ଅନ୍ୟ ବିକଳ୍ପ ଅପେକ୍ଷା ନିଜ ଗାଡ଼ିରେ ଯିବା ପସନ୍ଦ କରୁଛନ୍ତି। ଏମିତିରେ ଅନେକ ଟୋଲ୍‌ ପ୍ଲାଜାରେ ଭିଡ଼ ଦେଖିବାକୁ ମିଳୁଛି। କିନ୍ତୁ ଖୁବ୍ ଶୀଘ୍ର ଟୋଲ୍‌ ପ୍ଲାଜାରେ ଟୋଲ୍‌ ଦେବା ପ୍ରକ୍ରିୟାରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହାଦ୍ବାରା ଭିଡ଼ କମ୍ ହେବ ଏବଂ ଯେତିକି ଦୂର ଯାଉଛନ୍ତି ସେତିକି ଟଙ୍କା ଟୋଲ୍‌ ନିଆଯିବ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଥିବା ହାଇଓ୍ବେ ଟୋଲ୍ ପ୍ଲାଜାକୁ ବଦଳାଇବା ପାଇଁ ସରକାର ଆଗାମୀ ୬ ମାସରେ ଜିପିଏସ ଆଧାରିତ ଟୋଲ୍‌ କଲେକ୍ସନ ସିଷ୍ଟମ ଆଣିବେ। ଏହାଦ୍ବାରା ଟୋଲ୍‌ ପ୍ଲାଜାରେ ଭିଡ଼ କମ୍ ହେବ। ଖାଲି ସେତିକି ନୁହେଁ ଏହି ସିଷ୍ଟମ ଦ୍ବାରା ଗାଡ଼ି ଚାଳକଙ୍କ ଠାରୁ ରାଜପଥରେ ଯାତ୍ରା କରିଥିବା ଦୂରତାର ସଠିକ୍‌ ଟୋଲ୍‌ ଆଦାୟ ହେବ। ଅର୍ଥାତ୍ ରାଜପଥରେ ଯେତିକି ଦୂର ଯାତ୍ରା କରିଥିବେ ସେତିକିର ଟଙ୍କା ଦେବେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଥିପାଇଁ ଏକ ପାଇଲଟ ପ୍ରୋଜେକ୍ଟ ଚାଲିଛି। ଗାଡ଼ିକୁ ନ ଅଟକାଇ ସ୍ବୟଚାଳିତ ଟୋଲଗେଟ୍‌କୁ ସକ୍ଷମ କରିବା ପାଇଁ ଏକ ସ୍ବୟଚାଳିତ ନମ୍ବର ପ୍ଲେଟ୍‌ ଚିହ୍ନଟ ସିଷ୍ଟମ କ୍ୟାମେରାର ଏକ ପାଇଲଟ୍ ପ୍ରୋଜକ୍ଟ ଚାଲୁଛି। ସିଆଇଆଇ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ରାଜ୍ୟଙ୍କ ଅଧୀନରେ ଥିବା ଏନଏଚଏଆଇର ଟୋଲ୍‌ ରାଜସ୍ବ ବର୍ତ୍ତମାନ ୪୦ ହଜାର କୋଟି ଟଙ୍କା ରହିଛି ଯାହା ଦୁଇରୁ ତିନି ବର୍ଷରେ ୧.୪୦ ଲକ୍ଷ କୋଟି ପହଞ୍ଚିପାରେ।

ସୂଚନାଯୋଗ୍ୟ, ୨୦୧୮-୧୯ ରେ ଟୋଲ୍‌ ପ୍ଲାଜାରେ ଗାଡ଼ିକୁ ଅପେକ୍ଷା ସମୟରେ ହାରାହାରି ୮ ମିନିଟ୍‌ ଥିଲା। କିନ୍ତୁ ୨୦୨୦-୨୧ ଏବଂ ୨୦୨୧-୨୨ ସମୟରେ ଫାଷ୍ଟ୍ୟାଗ୍ ଆରମ୍ଭ ହେବା ପରେ ଗାଡ଼ି ଗୁଡ଼ିକ ଟୋଲ୍‌ ପ୍ଲାଜା​ରେ ଅଟକିବା ସମୟ ୪୭ ସେକେଣ୍ଡକୁ ହ୍ରାସ ହୋଇଛି। କିନ୍ତୁ ଏବେବି ଅନେକ ସ୍ଥାନରେ ପିକ୍ ସମୟରେ ଟୋଲ୍‌ ପ୍ଲାଜାରେ ଟୋଲ୍‌ ଆଦାୟରେ ବିଳମ୍ବ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.