କ୍ବାରାଣ୍ଟାଇନ ନିୟମ ଭାଙ୍ଗିଲେ ଗିରଫ, ମିଳିବନି ସହାୟତା : ସରକାରଙ୍କ କଡା ଚେତାବନୀ ପରେ ବି କ୍ଵାରେଣ୍ଟାଇନରୁ ଖସିଗଲେ ଶତାଧିକ
3/05/2020 at 6:02 PM

ବ୍ରହ୍ମପୁର ୦୩/୦୫ : ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ | କେରଳ, ତାମିଲନାଡୁ, ରାଜସ୍ତାନ ଓ ଗୁଜୁରାଟ ଆଦି ରାଜ୍ୟରେ ଫସିରହିଥିବା ଓଡ଼ିଆଙ୍କୁ ବସ ଓ ରେଳ ଯୋଗେ ଅଣାଯାଉଛି | ସେମାନଙ୍କୁ ସରକାରୀ ନିୟମ ଅନୁସାରେ ୧୪ ଦିନିଆ କ୍ଵାରେଣ୍ଟାଇନରେ ରଖାଯିବ | ତେବେ ଏତେ ସଂଖ୍ୟାରେ ଲୋକଙ୍କୁ କ୍ବାରାଣ୍ଟାଇନରେ ରଖିବା ବିଗ୍ ଚ୍ୟାଲେଞ୍ଜ ହୋଇଥିବା ବେଳେ କିଛି ସ୍ଥାନରେ କ୍ବାରାଣ୍ଟାଇନରେ ରହୁତିବା ଲୋକମାନେ ନିୟମ ଭାଙ୍ଗୁଥିବା ଦେଖାଯାଇଛି। ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଣିକି ନିୟମ ଭାଙ୍ଗିଲେ କ୍ବାରାଣ୍ଟାଇନ ଅବଧି ବଢ଼ିବ ନ ହେଲେ ସେମାନଙ୍କୁ ଗିରଫ କରାଯାଇପାରେ।

କ୍ବାରାଣ୍ଟାଇନ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ। ରାଜ୍ୟ ସରକାର ଏମିତି ସିଧା ଚେତାବନୀ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ପ୍ରେସ୍ ବାର୍ତ୍ତାରେ ଯେଉଁସବୁ କଟକଣାର ଚେତାବନୀ ଦେଇଛନ୍ତି ସେ ମଧ୍ୟରେ ରହିଛି ୧- ବଢ଼ାଯିବ କ୍ବାରାଣ୍ଟାଇନ ଅବଧି, ମାନେ ଉଲ୍ଲଂଘନକାରୀ କ୍ବାରାଣ୍ଟାଇନ କେନ୍ଦ୍ରରେ ୧୪ ରୁ ଅଧିକ ଦିନ ରହିବେ ୨- ଅନ୍ୟ ଜିଲ୍ଲା କ୍ବାରାଣ୍ଟାଇନ କେନ୍ଦ୍ରକୁ ପଠାଇଦିଆଯିବ ୩- ଦରକାର ପଡ଼ିଲେ ଗିରଫ କରାଯିବ ୪- ନିୟମ ଉଲ୍ଲଂଘନ କଲେ ମିଳିବାକୁ ଥିବା ସରକାରୀ ସହାୟତା ବି ମିଳିବନି ।

ତେବେ କାହିଁକି ଏଭଳି ଚେତାବନୀ ଦେବାକୁ ପଡ଼ିଲା? ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ପ୍ରବାସୀ ଓଡିଆଙ୍କୁ ଆତିଥ୍ୟ ସହିତ ସେମାନଙ୍କୁ ସବୁ ସୁବିଧାରେ କ୍ବାରାଣ୍ଟାଇନରେ ରଖାଯାଉଛି । ଏହା ସତ୍ତ୍ବେ ବି ସେମାନେ ନିୟମ ଭାଙ୍ଗୁଛନ୍ତି । କିଛି ଭିଜୁଆଲ ଭାଇରାଲ ହେଉଛି ଯାହାର ସ୍ଥାନ ଆମେ ସ୍ପଷ୍ଟ କରିପାରିବୁନି । କିନ୍ତୁ ଯେଉଁଥିରେ ଦେଖାଯାଉଛି କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନେ ନାନାଦି ହୋହଲ୍ଲା କରୁଛନ୍ତି। ଏପରିକି ଗଞ୍ଜାମ ଜିଲ୍ଲାରେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଲୁଚି ପଳାଇଥିଲେ ଶତାଧିକ ପ୍ରବାସୀ ଓଡ଼ିଆ । ଗଞ୍ଜାମ ବେଗୁନିଆପଡା ଆଦର୍ଶ ବିଦ୍ୟାଳୟ ଏବଂ ଜନତା ଉଚ୍ଚ ବିଦ୍ୟାଳୟର କ୍ଵରେଣ୍ଟାଇନ କେନ୍ଦ୍ରରେ ରହିଥିବା ଏହି ପ୍ରବାସୀ ଓଡ଼ିଆଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଥିବା ସତ୍ତ୍ବେ ସେମାନେ ନିୟମ ଭାଙ୍ଗି ଚାଲିଯାଇଛନ୍ତି । ଯାହାକି ସେହି ଅଞ୍ଚଳର ଅନ୍ୟ ଲୋକ ଏବଂ ସେମାନଙ୍କ ପରିବାର ପାଇଁ କରୋନା ବିପଦ ସୃଷ୍ଟି କରିବା ଆଶଙ୍କା ସୃଷ୍ଟି କରିଛି।

ଓଡିଶାକୁ ଟ୍ରେନ ଯୋଗେ ହଜାର ହଜାର ହଜାରରୁ ଅଧିକ ପ୍ରବାସୀ ଓଡିଆ ଫେରି ସାରିଲେଣି । ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ପଞ୍ଚାୟତରେ କ୍ବାରେଣ୍ଟାଇନ କରାଯାଇଛି । ଏବେ ଏଭଳି ଲୋକଙ୍କୁ ନିୟନ୍ତ୍ରଣ କରିବା ଏବଂ ସେମାନେ କିଭଳି କ୍ବାରାଣ୍ଟାଇନ ନିୟମ ଭାଙ୍ଗିବେ ନାହିଁ ସେନେଇ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଦାୟିତ୍ ଦେଇଛନ୍ତି।