HALର ୩.୫ % ଅଂଶଧନ ବିକିବେ ସରକାର, ଜାଣନ୍ତୁ କ’ଣ ରହିଛି ଯୋଜନା
22/03/2023 at 8:39 PM

ନୂଆଦିଲ୍ଲୀ, ୨୨/୦୩: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (Hal) ୟରେ ୩.୫% ଅଂଶଧନ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଏହି ଅଂଶଧନକୁ ଅଫର୍ ଫର୍ ସେଲ (OFS) ଦ୍ବାରା ବିକ୍ରି କରାଯିବ। ତେବେ ଏହି ସେୟାର ବିକ୍ରି କରି ସରକାରଙ୍କୁ ୨,୮୬୭ କୋଟି ଟଙ୍କା ସଂଗ୍ରହ ହେବା ନେଇ ଆଶା କରାଯାଉଛି। ଏନେଇ ହାଲ୍ ବୁଧବାର ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ହାଲ୍ରେ ସରକାରଙ୍କ ୮୯.୯୭% ଅଂଶଧନ ରହିଛି।
ହାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଏହାର ରେଗୁଲେଟୋରୀ ଫାଇଲିଙ୍ଗରେ କହିଛି ଯେ ୨୩-୨୪ ମାର୍ଚ୍ଚ ୨୦୨୩ ରେ ସରକାର ୧୦ ଟଙ୍କାର ନଗଦ ମୂଲ୍ୟର ୫୮,୫୧,୭୮୨ ସେୟାର ବା ୧.୭୫ ପ୍ରତିଶତ ଅଂଶଧନ ବିକ୍ରି କରିବେ। ୨୩ ମାର୍ଚ୍ଚରେ ଅଣ-ରିଟେଲ ନିବେଶକ ଏବଂ ୨୪ ମାର୍ଚ୍ଚରେ ରିଟେଲ ନିବେଶକ ଆବେଦନ କରିପାରିବେ। ଅଫର୍ ସାଇଜ୍ର ୧୦ ପ୍ରତିଶତ ରିଟେଲ ନିବେଶକଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି ୫ ପ୍ରତିଶତ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କର୍ମଚାରୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେୟାର କିଣିପାରିବେ। ତେବେ ସରକାର ୧.୭୫ % ମାର୍ଚ୍ଚ ୨୩-୨୪ ରେ ବିକ୍ରି କରିବ ଏବଂ ୧.୭୫ % ବିକ୍ରି କରିବା ପାଇଁ ବିକଳ୍ପ ରହିବ।
ଉଲ୍ଲେଖଯୋଗ୍ୟ, ବୁଧବାର ହାଲ୍ର ସେୟାର ୧.୧୬ ପ୍ରତିଶତ ହ୍ରାସ ସହ ୨୬୨୫ ଟଙ୍କାରେ ବନ୍ଦ ହୋଇଛି। ଏକ ବର୍ଷରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ର ଶେୟାର ନିବେଶକଙ୍କୁ ୧୦୦ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଗୋଟିଏ ବର୍ଷରେ ଶେୟାର ୮୫ ପ୍ରତିଶତ ଦୁଇ ବର୍ଷରେ ୧୫୩ ପ୍ରତିଶତ ଏବଂ ତିନି ବର୍ଷରେ ୩୬୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଛି। ଏଏଚଏଲର ଷ୍ଟକ୍ ୨୯୧୪ ଟଙ୍କାର ଉଚ୍ଚତମ ସ୍ତରକୁ ଯାଇଛି।
ସୂଚନାଥାଉ, କେନ୍ଦ୍ର ସରକାର ବିଭିନ୍ନ ସରକାରୀ ସଂସ୍ଥାରେ ଥିବା ଅଂଶଧନକୁ ବିକ୍ରି କରି ୫୦ ହଜାର କୋଟି ଆୟ କରିବା ଚଳିତ ଆର୍ଥିକ ବର୍ଷରେ ଲକ୍ଷ୍ୟ ରଖିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ୩୧,୧୧୦ କୋଟି ଟଙ୍କା ଆୟ ହୋଇଛି।