ସରକାରୀ ବ୍ୟାଙ୍କର ଘରୋଇକରଣ ନେଇ ପୁଣି ଚର୍ଚ୍ଚା, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

Published By : Prameya-News7 Bureau | May 16, 2023 IST

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର ଘରୋଇକରଣ ନେଇ ସରକାର ଖୁବଶୀଘ୍ର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଇକୋନମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ଏକ ପ୍ୟାନେଲ ଗଠନ କରାଯିବ । ଏହି ପ୍ୟାନେଲ୍ ଘରୋଇକରଣ କରାଯିବାକୁ ଥିବା ବ୍ୟାଙ୍କଗୁଡିକର ନାଁ ସ୍ଥିର କରିବେ ।

ETର ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଏବେ ବ୍ୟାଙ୍କଗୁଡିକର ଘରୋଇକରଣ ଉପରେ ପୁଣି ଥରେ ବିଚାର କରିପାରନ୍ତି । ୨୦୨୧ ଏପ୍ରିଲରେ ନୀତି ଆୟୋଗ, ବିନିବେଶ ବିଭାଗ(disinvestment department)କୁ ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପାଇଁ ସୁପାରିଶ କରିଥିଲା । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଆଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ କଥିତ ରୂପେ ସର୍ଟଲିଷ୍ଟ କରାଯାଇଥିଲା, କିନ୍ତୁ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନଥିଲା ।

ସରକାରୀ ଅଧିକାରୀଙ୍କ ବୟାନକୁ ନେଇ ରିପୋର୍ଟରେ କୁହାଯାଇଛି, ପ୍ରାଇଭେଟଟାଇଜେସନ ପାଇଁ ବ୍ୟାଙ୍କଗୁଡିକୁ ଚିହ୍ନଟ କରିବା ପାଇଁ ଏକ କମିଟି ଗଠନ କରାଯିବ । ଏଥିରେ ଛୋଟିଆ ଏବଂ ମଧ୍ୟମ ଧରଣର ବ୍ୟାଙ୍କର ନାଁ ସାମିଲ ରହିଛି । ବ୍ୟାଙ୍କର ପ୍ରଦର୍ଶନ ଏବଂ ସେମାନଙ୍କ ଲୋନ ପୋର୍ଟଫୋଲିଓ ସମେତ ଅନେକ ପାରାମିଟର୍ସ ଆଧାରରେ ଏହି କମିଟିକୁ ଘରୋଇକରଣ ନାଁ ଧାର୍ଯ୍ୟ କରିବାକୁ ପଡ଼ିବ । ରିପୋର୍ଟ ଅନୁସାରେ ଏହି କମିଟିରେ ଦୀପମ, ଆରବିଆଇ ଏବଂ ନୀତି ଆୟୋଗର ଅଧିକାରୀ ସାମିଲ ହୋଇପାରନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଦେଶରେ ୧୨ଟି ସରକାରୀ ବ୍ୟାଙ୍କ ରହିଛି । ଏଥି ମଧ୍ୟରୁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏବଂ ୟୁକୋ ବ୍ୟାଙ୍କ ପରି ବ୍ୟାଙ୍କର ଘରୋଇକରଣ ପାଇଁ ନିଷ୍ପତ୍ତି ନିଆଯାଇପାରେ । ଏହା ପୂର୍ବରୁ ୨୦୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଞ୍ଜିବିନିବେଶ କାର୍ଯ୍ୟକ୍ରମ ଅଧିନରେ ସରକାରୀ ବ୍ୟାଙ୍କ ଘରୋଇକରଣ ନେଇ ଘୋଷଣା କରିଥିଲେ । ଚଳିତ ବର୍ଷ ସରକାର ବ୍ୟାଙ୍କିଂ ଆଇନ(ସଂଶୋଧନ) ବିଲ, ୨୦୨୧କୁ ସଂସଦରେ ପାରିତ କରିବା ପାଇଁ ସୂଚୀବଦ୍ଧ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ସରକାର ଏହାକୁ ସଂସଦରେ ଆଗତ କରି ନାହାନ୍ତି । ଏହି ବିଲ୍ ଜରିଆରେ ସରକାର ୧୯୭୦ ଏବଂ ୧୯୮୦ର ବ୍ୟାଙ୍କିଂ କମ୍ପାନି ଆକ୍ଟରେ ସଂଶୋଧନ କରିବାକୁ ଚାହୁଁଛନ୍ତି । ଏଥିରେ ସରକାରୀ ବ୍ୟାଙ୍କର ଅଧିଗ୍ରହଣ ଏବଂ ଟ୍ରାନ୍ସଫର ସହ ଜଡିତ ନିୟମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.