ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ, ଧର୍ମ ପରିବର୍ତ୍ତନକାରୀ ଦଳିତଙ୍କୁ ମିଳିପାରିବନି ଅନୁସୂଚିତ ଜାତିର ମାନ୍ୟତା

Published By : Prameya-News7 Bureau | November 10, 2022 IST

ନୂଆଦିଲ୍ଲୀ ୧୦।୧୧: ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଓ ଇସ୍ଲାମ ଗ୍ରହଣ କରିଥିବା ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଏପରି ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତାକୁ ସରକାର ବିରୋଧ କରିଛନ୍ତି। ଏ ନେଇ ସରକାର ଦାଖଲ କରିଥିବା ସତ୍ୟପାଠରେ ଖ୍ରୀଷ୍ଟିଆନ ଓ ଇସ୍ଲାମରେ ଜାତି ଆଧାରିତ ଛୁଆଁଛୁତି ନଥିବା କହିଛନ୍ତି।

ତେବେ ରଙ୍ଗନାଥ କମିଶନ ତୃଣମୂଳ ସ୍ତରର ବାସ୍ତବତାକୁ ଅନୁଧ୍ୟାନ ନ କରି ଧର୍ମାନ୍ତରିତ ସବୁ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦେବାକୁ ସୁପାରିଶ କରିଥିଲେ। ଏଣୁ ସରକାର ସୁପାରିଶକୁ ସ୍ୱୀକାର କରିନଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠରେ ରାଷ୍ଟ୍ରୀୟ ଧାର୍ମିକ ଓ ଭାଷାଗତ ଅଳ୍ପସଂଖ୍ୟକ ଆୟୋଗଙ୍କ ନୋଟ୍‌ର ଉଦାହରଣ ମଧ୍ୟ  ଦେଇଛନ୍ତି।

ଏଥିରେ ଖ୍ରୀଷ୍ଟ ଓ ଇସ୍ଲାମ  ବିଦେଶୀ ଧର୍ମ ହୋଇଥିବାରୁ ଏଥିରେ ଜାତିବ୍ୟବସ୍ଥା ଏତେ ଗୁରୁତର ନୁହେଁ। ଏଥିରେ ଯଦି ଧର୍ମପରିବର୍ତ୍ତନ କରିଥିବା ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯାଏ ତେବେ ସେଠାରେ ମଧ୍ୟ ଜାତି ବ୍ୟବସ୍ଥାକୁ ଜନ୍ମ  ଦେବ ବୋଲି ସରକାର କହିଛନ୍ତି। ସରକାରଙ୍କ କହିବା କଥା ହେଲା ଏହି ମାମଲାର ସମ୍ବେଦନଶୀଳତାକୁ ଦେଖି ପୂର୍ବ ଚିଫ୍ ଜଷ୍ଟିସ୍ କେ.ଜି. ବାଲକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ଆୟୋଗର ଗଠନ ହୋଇଥିଲା। ଏହି ଆୟୋଗ ଧର୍ମପରିବର୍ତ୍ତନ କରିଥିବା ଲୋକଙ୍କ ଅନୁସୂଚିତ ଜାତିର ମାନ୍ୟତା ସମ୍ପର୍କରେ ବିଚାର କରୁଥିଲେ।

ଏବେ ଦେଶରେ କେବଳ ହିନ୍ଦୁ, ଶିଖ୍, ବୌଦ୍ଧ ଧର୍ମର ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଓ ଏ ସମ୍ପର୍କିତ ସଂରକ୍ଷଣର ସୁବିଧା ମିଳିପାରୁଛି। ତେବେ ଇସ୍ଲାମ ଓ ଖ୍ରୀଷ୍ଟିଆନ ଧର୍ମ ଅବଲମ୍ବନ କରିଥିବା ଦଳିତଙ୍କୁ ଏହି ସୁବିଧା ଉପଲବ୍ଧ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.