ଦିନ ୩ଟାରୁ ରାତି ୯ଟା ମଧ୍ୟରେ ଯାତ୍ରା କରୁଛନ୍ତି କି ? ଭାରତୀୟ ରାସ୍ତାରେ ସବୁଠୁ ବିପଦପୂର୍ଣ୍ଣ ସମୟ: ସରକାରୀ ତଥ୍ୟରୁ ଖୁଲାସା

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଳୀ, ୦୨/୦୧: ଦେଶରେ ଦିନ ୩ଟାରୁ ରାତି ୯ଟା ମଧ୍ୟରୁ ହେଉଛି ସର୍ବାଧିକ ଦୁର୍ଘଟଣା। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୧ ରେ ରେକର୍ଡ ହୋଇଥିବା ଦୁର୍ଘଟଣା ମଧ୍ୟରୁ ହାରାହାରି ୪୦ ପ୍ରତିଶତ ସଡ଼କ ଦୁର୍ଘଟଣା ଦିନ ୩ ଟାରୁ ରାତି ୯ ଟା ମଧ୍ୟରେ ହୋଇଥିବା ନେଇ ଜଣାପଡ଼ିଛି। ଏହି ନିର୍ଦ୍ଦିଷ୍ଟ ସମୟ ଭାରତୀୟ ସଡ଼କରେ ସବୁଠୁ ବିପଦପୂର୍ଣ୍ଣ । ସେହିପରି ସରକାରୀ ତଥ୍ୟ ଅନୁଯାୟୀ ରାତି ୧୨ ଟାରୁ ସକାଳ ୬ ଟା ହେଉଛି ସବୁଠୁ ସୁରକ୍ଷିତ ସମୟ, ଏହି ସମୟରେ ୧୦ ପ୍ରତିଶତ ଦୁର୍ଘଟଣା ରେକର୍ଡ ହୋଇଛି।

କେନ୍ଦ୍ର ସଡ଼କ ପରିବହନ ଏବଂ ଏବଂ ଜାତୀୟରାଜପଥ ମନ୍ତ୍ରାଳୟ ତରଫରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହାର ଉଲ୍ଲେଖ ରହିଛି। ୨୦୨୧ ମସିହାରେ ରେକର୍ଡ ହୋଇଥିବା ୪.୧୨ ଲକ୍ଷ ଦୁର୍ଘଟଣା ମଧ୍ୟରୁ ୧.୫୮ ଲକ୍ଷ ଦୁର୍ଘଟଣା ଦିନ ୩ ଟାରୁ ରାତି ୯ଟା ମଧ୍ୟରେ ହୋଇଛି। ତଥ୍ୟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୨୧ ରେ ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ସର୍ବାଧିକ ଦୁର୍ଘଟଣା ରେକର୍ଡ ହୋଇଛି। ଯାହା ମୋଟ ଦୁର୍ଘଟଣାର ୨୧ % । ଦ୍ବିତୀୟରେ ସର୍ବାଧିକ ଦୁର୍ଘଟଣା ରେକର୍ଡ ହୋଇଥିବା ସମୟ ହେଉଛି ଦିନ ୩ ଟାରୁ ସନ୍ଧ୍ୟା ୬ ଟା। ଯାହା ସମୁଦାୟ ଦୁର୍ଘଟଣାର ୧୮%।

ତଥ୍ୟ ଅନୁଯାୟୀ, ତାମିଲନାଡୁରେ ସର୍ବାଧିକ ସନ୍ଧ୍ୟା ୬ ଟାରୁ ରାତି ୯ଟା ସମୟ ମଧ୍ୟରେ ୧୪,୪୧୬ ଦୁର୍ଘଟଣା ରେକର୍ଡ ହୋଇଛି। ଏହାପରେ ଦ୍ବିତୀୟ ସର୍ବାଧିକ ଦୁର୍ଘଟଣା ମଧ୍ୟପ୍ରଦେଶରେ ୧୦,୩୩୨ ରେକର୍ଡ ହୋଇଛି। ସେହିପରି ଉତ୍ତରପ୍ରଦେଶ, କେରଳ ଏବଂ କର୍ଣ୍ଣାଟକରେ ୮୨,୮୭୯ ଦୁର୍ଘଟଣା ଦିନ ୩ ଟାରୁ ରାତି ୯ ମଧ୍ୟରେ ରେକର୍ଡ ହୋଇଥିଲା। ଯାହାକି ଦେଶରେ ଦିନ ୩ ଟାରୁ ରାତି ୯ ମଧ୍ୟରେ ହେଉଥିବା ଦୁର୍ଘଟଣାର ୫୨ ପ୍ରତିଶତ।

ଦିନ ୩ ଟାରୁ ରାତି ୯ଟା ମଧ୍ୟରୁ ହେଉଥିବା ଦୁର୍ଘଟଣା, ୨୦୧୭ ରୁ ୨୦୨୧ ମଧ୍ୟରେ ପ୍ରତିବର୍ଷ ଅତିରିକ୍ତ ୩୫ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦ ରେ ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ୮୫ ହଜାର ଦୁର୍ଘଟଣା ହୋଇଥିବା ନେଇ ରେକର୍ଡ ହୋଇଥିଲା। ସେହିପରି ତଥ୍ୟ ଅନୁଯାୟୀ, ୨୦୨୧ ଜାନୁଆରୀରେ ସର୍ବାଧିକ ୪୦,୩୦୫ ଦୁର୍ଘଟଣା ରେକର୍ଡ ହୋଇଥିଲା। ଏହାପଛକୁ ମାର୍ଚ୍ଚ ମାସରେ ୩୯,୪୯୧ ଦୁର୍ଘଟଣା ରେକର୍ଡ ହୋଇଥିଲା। ତଥ୍ୟ ଅନୁଯାୟୀ ୨୦୨୧ ରେ ଦୁର୍ଘଟଣାରେ ୧,୫୩,୯୭୨ ଜଣକ ଜୀବନ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.