ପିଆଜ ବ୍ୟାନ୍‌ରେ ଚାଷୀଙ୍କର ହେବନି କ୍ଷତି; ସରକାର କହିଲେ-ଜାନୁଆରୀରେ କେଜି ହେଇପାରେ ୪୦

Published By : Prameya-News7 Bureau | December 11, 2023 IST

ନୂଆଦିଲ୍ଲୀ: ଡିସେମ୍ବର ୮ ତାରିଖରେ କେନ୍ଦ୍ର ସରକାର ପିଆଜ ଦର ଉପରେ ଅଙ୍କୁଶ ଲଗାଇବାକୁ ବିଦେଶକୁ ରପ୍ତାନୀ ବ୍ୟାନ୍ କରିଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇଛି। ଯାହାକୁ ବିରୋଧ କରି ମହାରାଷ୍ଟ୍ର ନାଶିକର କୃଷକମାନେ ଆନ୍ଦୋଳନ କରିଛନ୍ତି। ତେବେ କୃଷକମାନଙ୍କ ପାଇଁ ଚିନ୍ତାର କୌଣସି ବିଷୟ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। କାରଣ ଚାଷୀର ସ୍ୱାର୍ଥକୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ବଫର ଷ୍ଟକ୍ ପାଇଁ ସମସ୍ତ ମଣ୍ଡିରୁ ୨ ଲକ୍ଷ ଟନ୍ ଖରିପ ଫସଲ କିଣିବେ ବୋଲି କହିଛନ୍ତି।

ବ୍ୟାନ ଯୋଗୁ ଯେମିତି ଘରୋଇ ହୋଲ୍‌ସେଲ୍ ମୂଲ୍ୟ ତଳକୁ ନ ଖସି ସ୍ଥିର ରହିବ ସେ ନେଇ ପିଆଜ କିଣାଯିବ। ଅନ୍ୟପଟେ ଖୁଚୁରା ମୂଲ୍ୟ ବୃଦ୍ଧିକୁ ରୋକିବାକୁ ବଫର ଷ୍ଟକ୍‌ରୁ ପିଆଜ ବ୍ୟବହାର କରାଯିବ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ସୂଚନା ଦେଇଛନ୍ତି।  

ଶ୍ରୀ ସିଂହ କହିଛନ୍ତି ଯେ ପିଆଜ ବ୍ୟାନ୍‌ର ଚାଷୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆମେ ୫.୧୦ ଲକ୍ଷ ଟନ୍ ପିଆଜ କିଣି ସାରିଛୁ। ଆଉ ୨ ଲକ୍ଷ ଟନ ଖରିପ ଫସଲ କିଣିବୁ। ନଷ୍ଟ ନ ହୋଇ ଅଧିକ ସମୟ ରହୁଥିବାର ସରକାର ମୁଖ୍ୟତ ରବି ଫସଲ କିଣନ୍ତି। ହେଲେ ଏଥର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓ ଖୁଚୁର ଦର ବୃଦ୍ଧି ରୋକିବାକୁ ଖରିପ ଫସଲ କିଣାଯିବ ବୋଲି ରୋହିତ କୁମାର ସିଂହ କହିଛନ୍ତି।

ପଢ଼ନ୍ତୁ-ପିଆଜ ବ୍ୟାନ୍‌ରେ ଚାଷୀଙ୍କର ହେବନି କ୍ଷତି; ସରକାର କହିଲେ-ଜାନୁଆରୀରେ କେଜି ହେବ ୪୦

ଖୁଚୁରା ଦର ବୃଦ୍ଧି ରୋକିବା ଓ ଚାଷୀଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ବଫର ଷ୍ଟକ୍‌କୁ ୭ ଲକ୍ଷ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଗତ ବର୍ଷ ସରକାର ୩ ଲକ୍ଷ ଟନ ଷ୍ଟକ୍ କରିଥିଲେ। ଶ୍ରୀ ସିଂହଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୫.୧୦ଲକ୍ଷ ଟନ୍ ପିଆଜ କିଣାଯାଇ ସାରିଛି। ସେଥିମଧ୍ୟରୁ ମୂଲ୍ୟ ହ୍ରାସ କରିବାକୁ ୨.୭୩ ଲକ୍ଷ ଟନ ପିଆଜକୁ ହୋଲ୍‌ସୋଲ୍ ମଣ୍ଡିକୁ ପଠାଯାଇଛି।

ଗତ ୫୦ ଦିନ ମଧ୍ୟରେ ପ୍ରାୟ ୨୦,୭୧୮ ଟନ୍ ପିଆଜ ଦେଶର ୨୧୮ ସହରରେ ସବସିଡି ହାରରେ ବିକ୍ରି କରାଯାଇଛି। ଖୁଚୁରା ବିକ୍ରି ଏବେ ବି ଜାରି ରହିଛି ବୋଲି ଖାଉଟି ବ୍ୟାପାର ସଚିବ କହିଛନ୍ତି।

ସୂଚନା ଥାଉକି ଗତ ନଭେମ୍ବର ୮ ତାରିଖରେ ପିଆଜ ଦର ପ୍ରାୟ ୬୦ ଟଙ୍କା ରହିଥିଲା। ଡିସେମ୍ବର ୮ରେ ମୂଲ୍ୟ ହ୍ରାସ ପାଇ ୫୬ ଟଙ୍କା ହୋଇଛି। ହେଲେ ଏବେ ବି ଏକାଧିକ ସ୍ଥାନରେ ପିଆଜ ୬୦ ଟଙ୍କାରେ ବିକ୍ରି ହେଉଛି। ଓଡ଼ିଶାରେ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି। ତେବେ ଜାନୁଆରୀ ମାସରେ ପିଆଜି ମୂଲ୍ୟ ୪୦ ଟଙ୍କାକୁ ଖସି ଆସିବ ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.