ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା : କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ବିରୋଧୀ କହିଲେ ଏହା ହତ୍ୟା…
20/12/2022 at 2:40 PM

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଂଜି ଜେଲ୍ ରେ ବନ୍ଦୀ ଥିବା ଗୋବିନ୍ଦ ମଙ୍ଗଳବାର ଏକ ଗଛରେ ଗାମୁଛା ଲଗାଇ ଝୁଲିପଡିଥିଲେ । ଗୋବିନ୍ଦଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି । ପୋଲିସ ମହାନିର୍ଦ୍ଦେଶକ ଏକ ଟ୍ୱିଟ୍ କରି ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଛି ବୋଲି ଜଣାଇଛନ୍ତି । ସେପଟେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୈତିକ ଝଡ଼ । ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି ।
ଖବର ଅନୁଯାୟୀ, ଗୋବିନ୍ଦ ସାହୁ ମଙ୍ଗଳବାର ଦିନ ସ୍ଥାନୀୟ ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତେ । ଏହାପୂର୍ବରୁ ସକାଳ ୯ଟାରେ ଜେଲ୍ ପରିସରରେ ଥିବା ଏକ ଛୋଟ ଗଛରେ ନିଜ ଗାମୁଛାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜେଲ୍ ଭିତରେ ଜଣେ ହାଇ ପ୍ରୋଫାଇଲ କଏଦୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ସମ୍ବଲପୁର ରେଞ୍ଜ ଡିଆଇଜି ଅନୁସୂୟା ଜେନାଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ଉପରୁ ସେ ପରଦା ହଟାଇବେ ।
କଳାହାଣ୍ଡି ଜିଲ୍ଲାର ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜର ମୁଖ୍ୟ ଥିଲେ ଗୋବିନ୍ଦ ସାହୁ । ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ସେ ଥିଲେ ମୁଖ୍ୟ ଅଭିଯୁକ୍ତ । ମମିତାଙ୍କ ପରିବାରର ଅଭିଯୋଗ କ୍ରମେ ବଲାଙ୍ଗୀର ପୋଲିସ ତାଙ୍କୁ ଘରୁ ଟେକି ଆଣି ଟିଟିଲାଗଡ଼ ପୁଲିସ ବାରାକରେ ଅଟକ ରଖିଥିଲା । ମାତ୍ର ସେଠି ୪ ଦିନ ବିତାଇଥିବା ଗୋବିନ୍ଦ ବାରାକ କାନ୍ଥ ଡେଇଁ ଚମ୍ପଟ୍ ମାରିଥିଲା । ଗତବର୍ଷ ଅକ୍ଟୋବର ୧୯ ତାରିଖରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ବୁଢ଼ିପଦର ଅଞ୍ଚଳର ଏକ ଆଖୁ କିଆରୀରେ ଲୁଚିଥିବା ବେଳେ ପୁଲିସର ସ୍ୱତନ୍ତ୍ର ଟିମ୍ ହାତରେ ଧରାପଡ଼ିଥିଲେ । ସେବେଠାରୁ ସେ ଜେଲରେ ଥିଲେ ।
ତଦନ୍ତ ବେଳେ ମମିତାଙ୍କୁ ହତ୍ୟା କରିଥିବା ସେ ପୁଲିସ ନିକଟରେ ସ୍ୱୀକାର କରିଥିଲେ । କୋର୍ଟରେ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇ ଶୁଣାଣି ଚାଲିଥିଲା । ନିକଟରେ ହାଇକୋର୍ଟରେ ସେ ଜାମିନ୍ ଆବେଦନ କରିଥିଲେ ମଧ୍ୟ ସେଠାରୁ ନିରାଶ ହୋଇଥିଲେ । ଜେଲ୍ରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।