ଆନ୍ଧ୍ରପ୍ରଦେଶ ନିମନ୍ତେ ୩ ରାଜଧାନୀ, ୫ ଉପମୁଖ୍ୟମନ୍ତ୍ରୀ ଲାଗି ଜଗନମୋହନଙ୍କ ବିଧେୟକକୁ ମିଳିଲା ରାଜ୍ୟପାଳଙ୍କ ମଞ୍ଜୁରି

Published By : Prameya-News7 Bureau | July 31, 2020 IST

ଅମରାବାତୀ ୩୧।୭: ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଏବଂ ଇକ୍ଲୁସିଭ ବିଲ୍-୨୦୨୦କୁ ଶୁକ୍ରବାର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମଞ୍ଜୁରି ମିଳିଛି। ଫଳରେ ଦେଶରେ ଆନ୍ଧ୍ରପ୍ରଦେଶ ଏପରି ଏକମାତ୍ର ରାଜ୍ୟରେ ପରିଣତ ହେବାକୁ ଯାଉଛି ଯାହାର ଗୋଟିଏ କି ୨ଟି ନୁହେଁ ଏକକାଳୀନ ୩ଟି ରାଜଧାନୀ ରହିବ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ୫ ଜଣ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକରିବେ।

ବିଧେୟକକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିବାମାତ୍ରେ ରାଜ୍ୟ ଆଇନ ବିଭାଗ ଅଧିନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ତୁରନ୍ତ ଗେଜେଟ୍ ଅଧିସୂଚନା ଜାରି କରିଦେଇଛନ୍ତି। ତେବେ ରାଜ୍ୟ ନିମନ୍ତେ ୩ଟି ରାଜଧାନୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏବେ ଜଗନମୋହନ ସରକାରଙ୍କୁ ଏ ନେଇଥିବା ଆଇନଗତ ପ୍ରତିବନ୍ଧକ ଦୂର କରିବାକୁ ହେବ। ରାଜଧାନୀ ପ୍ରସଙ୍ଗ ଏବେ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ରହିଛି।

ରାଜ୍ୟ ଉଚ୍ଚ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ନିମନ୍ତେ ୩ ରାଜଧାନୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆଉ କିଛି ସମୟ ଲାଗିପାରେ। ତେବେ ଏଥିପାଇଁ ଆମେ ବ୍ୟସ୍ତ ନାହୁ୍ଁ ବୋଲି ଅଧିକାରୀ କହିଛନ୍ତି। ଜଗନ ସରକାରଙ୍କ ଏହି ଦୁଇ ବିଧେୟକ ଦୁଇଥର ବିଧାନସଭାରେ ଗୃହୀତ ହୋଇଛି। ଏଥିରୁ ଗୋଟିଏ ଜାନୁୟାରୀ ୨୦ରେ ଗୃହୀତ ହୋଇଥିବା ବେଳେ ଅନ୍ୟଟି  ଜୁନ ୧୬ରେ ଗୃହୀତ କରାଯାଇଛି। ତେବେ ବିଧେୟକକୁ ବିଧାନପରିଷଦର ଅନମୋଦନ ମିଳିନଥିବାରୁ ଏହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା।

ବିଧେୟକ ନେଇ ବ୍ୟାପକ ଆଇନ ପରାମର୍ଶ ପରେ ରାଜ୍ୟପାଳ ବିଧେୟକ ଦୁଇଟିକୁ ମଞ୍ଜୁରି ଦେଇଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରିବେ। ଏପର୍ଯ୍ୟନ୍ତ ରାଜ୍ୟମାନଙ୍କରେ ସର୍ବାଧିକ ୨ଜଣ ଉପମୁଖ୍ୟମନ୍ତ୍ରୀ ଅବସ୍ଥାପିତ ହୋଇପାରୁଛନ୍ତି। ତେବେ ଏକ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.