କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଗ୍ରାହକଙ୍କୁ ଦେବାକୁ ପଡ଼ିବନି ରେଷ୍ଟୁରାଣ୍ଟରେ ସର୍ଭିସ ଚାର୍ଜ
25/05/2022 at 10:33 PM

ନୂଆଦିଲ୍ଲୀ: ଗ୍ରାହକଙ୍କ ଠାରୁ ଜୋର କରି ଆଦାୟ କରାଯାଉଥିବା ସେବା ଶୁଳ୍କ ଉପରେ ରେଷ୍ଟୁରାଣ୍ଟ ଗୁଡିକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଖାଉଟି ମାମଲାର ବିଭାଗ ଚେତାବନୀ ଜାରି କରିଛି। ଉଲ୍ଲେଖଯୋଗ୍ୟ, ଏହି ଚେତାବନୀ ପରେ ବି ଯଦି ସବୁ ରେଷ୍ଟୁରାଣ୍ଟ ନ ସୁଧରନ୍ତି ତେବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୈନିକ ଜାଗରଣରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଠାରୁ ଜୋର କରି ସର୍ଭିସ ଚାର୍ଜ ନେବା ବିରୁଦ୍ଧରେ କେନ୍ଦ୍ର ସରକାର ଏବେ ଅଧିକ କଠୋର ଆଭମୁଖ୍ୟ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ ଖାଉଟି ମାମଲାର ବିଭାଗ ଜୁନ ୨ରେ ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଇଣ୍ଡିଆ ସହ ଏକ ବୈଠକ କରିବେ। ଏଥିରେ ଜାତୀୟ ଗ୍ରାହକ ହେଲ୍ପଲାଇନରେ ଅଭିଯୋଗ ରୁଜୁ କରିବା ପରେ ଜବରଦସ୍ତି ସେବା ଶୁଳ୍କ ଲାଗୁ କରିବା ଉପରେ ଚର୍ଚ୍ଚା କରାଯିବ।
ଖାଉଟି ମାମଲାର ସଚିବ ପତ୍ର ଲେଖି କହିଛନ୍ତି, ସର୍ଭିସ ଚାର୍ଜ ବାବାଦରେ ଗ୍ରାହକଙ୍କୁ ବାଧ୍ୟ କରାଯାଉଛି । ସେ କହିଛନ୍ତି,ଏହି ଶୁଳ୍କ ରେଷ୍ଟୁରାଣ୍ଟ ମନଇଚ୍ଛା ଉଚ୍ଚ ଦରରେ ନିର୍ଦ୍ଧାରଣ କରୁଛି। ଗ୍ରାହକ ଯେତେବେଳେ ବିଲରୁ ଏହି ଶୁଳ୍କକୁ ହଟାଇବାକୁ ଅନୁରୋଧ କରନ୍ତି ସେତେବେଳେ ତାଙ୍କୁ ଭ୍ରମିତ କରାଯାଇ ଏହି ଚାର୍ଜକୁ ବୈଧ ଦର୍ଶାଇବାକୁ ପ୍ରାୟସ କରାଯାଇଥାଏ।
ଖାଉଟି ସଂରକ୍ଷଣ ଅଧିନିୟମରେ ୨୦୧୭ରେ ଗାଇଡଲାଇନ ପ୍ରସ୍ତୁତ ହୋଇଥିଲା। ଏହି ଗାଇଡଲାଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, କୌଣସି ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ସର୍ଭିସ ଚାର୍ଜ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ। ଯଦି କୌଣସି ରେଷ୍ଟୁରାଣ୍ଟ ଏହାକୁ ଆଧାର କରି ଗ୍ରାହକଙ୍କୁ ରେଷ୍ଟୁରାଣ୍ଟରେ ପ୍ରବେଶ କରିବାକୁ ଦିଏ ନାହିଁ ତେବେ ଏହାକୁ ପ୍ରତିବନ୍ଧକ ବାଣିଜ୍ୟ ଅଭ୍ୟାସ ବୋଲି ଧରାଯିବ।
ଉଲ୍ଲେଖଯୋଗ୍ୟ ଯେ, ଯଦି ରେସ୍ତୋରାଁ ମାଲିକ ଗ୍ରାହକଙ୍କ ଅନିଚ୍ଛାରେ ସର୍ଭିସ ଚାର୍ଜ ନିଅନ୍ତି ତେବେ ଏହା ବେଆଇନ। ସର୍ଭିସ ଚାର୍ଜ ଦେବାକୁ ଗ୍ରାହକ ବାଧ୍ୟ ନୁହନ୍ତି। ରେସ୍ତୋରାଁରେ ସେବା ଶୁଳ୍କ ଦେବାକୁ ଗ୍ରାହକ ମନା କରିପାରିବେ।