ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ସରକାର, ବର୍ତ୍ତିବା ଲାଗି ସୂଚିତ କରିଛନ୍ତି ଉପାୟ
1/03/2023 at 7:01 PM

ନୂଆଦିଲ୍ଲୀ ୧।୩: ଚଳିତବର୍ଷ ଭାରତରେ ବଢୁଥିବା ଗ୍ରୀଷ୍ମ ପ୍ରବାହ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପ୍ରଥମ ଥର ଫେବୃଆରୀ ମାସ ଶେଷ ଦିନରେ ସତର୍କତା ଜାରି କରିଛନ୍ତି। ଏଥିଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ସରକାରମାନଙ୍କ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ସତର୍କତା ଅବଲମ୍ବନ ଲାଗି ସୂଚିତ କରିଥିବା ବେଳେ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ରକ୍ଷା କରିବା ଲାଗି ଉପାୟ ମଧ୍ୟ ସୂଚିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶର କେତେକ ରାଜ୍ୟରେ ଏବେଠାରୁ ଭୀଷଣ ଗ୍ରୀଷ୍ମ ଅନୁଭୂତ ହେଲାଣି। କେତେକ ଅଞ୍ଚଳରେ ଦିନର ତାପମାତ୍ରା ୩୫ ଡିଗ୍ରି ସେଲସିୟସରୁ ଉପରକୁ ଯିବାକୁ ଲାଗିଲାଣି।

୧ ମାର୍ଚ୍ଚରୁ ତାତି ଜନିତ ରୋଗର ତଥ୍ୟ ରେକର୍ଡ ହେବ
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ୧ ମାର୍ଚ୍ଚ ୨୦୨୩ରୁ ଗରମ ଯୋଗୁ ହେଉଥିବା ରୋଗ ବେମାରୀ, ଅତ୍ୟଧିକ ଗ୍ରୀଷ୍ମର ଶିକାର ହେଉଥିବା ରୋଗୀ ଓ ହିଟ ୱେଭ ଯୋଗୁ ହେଉଥିବା ମୃତ୍ୟୁର ରେକର୍ଡ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ ଚିଠିରେ ଭାରତର କେତେକ ଅଞ୍ଚଳରେ ଏବେଠାରୁ ସାଧାରଣରୁ ଅଧିକ ତାପମାତ୍ରା ରହୁଥିବା ଓ ଏଥି ପାଇଁ ସରକାରଙ୍କ ନ୍ୟାସନାଲ କ୍ଲାଇମେଟ୍ ଚେଞ୍ଜ ପ୍ରୋଗ୍ରାମରେ ତଥ୍ୟ ରଖିବାକୁ କୁହାଯାଇଛି।

ମଧ୍ୟାହ୍ନ ୧୨ଟାରୁ ୩ ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ
ଏହା ଛଡା ହସ୍ପିଟାଲମାନଙ୍କୁ ଗରମ ଯୋଗୁ ହେଉଥିବା ରୋଗ ବେମାରୀକୁ ନଜରରେ ରଖି ଜରୁରି ଔଷଧ ଷ୍ଟକ କରିବା, ଓଆରଏସ ପାଉଚ୍ ଓ ଅନ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ସାରା ଦେଶରେ ଗରମ ଯୋଗୁ ହେଉଥିବା ରୋଗ ବେମାରୀର ସର୍ଭିଲିଆନ୍ସ କରିବାକୁ କହିଛନ୍ତି। ସରକାର ଗ୍ରୀଷ୍ମରୁ ବର୍ତ୍ତିବା ଲାଗି ସାଧାରଣ ଜନତାଙ୍କ ଲାଗି ଆଡଭାଇଜରି ମଧ୍ୟ ଜାରି କରିଛନ୍ତି। ଏଥିରେ ମଧ୍ୟାହ୍ନ ୧୨ଟାରୁ ୩ ମଧ୍ୟରେ ଘରୁ ପଦାକୁ ନ ବାହାରିବା ଲାଗି ପରାମର୍ଶ ଦେଇଛନ୍ତି।

ଜାରି ହେଲା ହେଲ୍ପଲାଇନ ନମ୍ବର
ଏହା ସହିତ ସରକାର ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। ଯାହା ଦ୍ୱାରା କୌଣସି ପ୍ରକାର ଜରୁରିକାଳୀନ ପରିସ୍ଥିତିରେ ଏହି ସବୁ ନମ୍ବରରେ ସମ୍ପର୍କ କରାଯାଇପାରିବ। ଗ୍ରୀଷ୍ମର ଶିକାର ହେଲେ ଅତ୍ୟାବଶ୍ୟକ ସ୍ଥଳେ ହେଲପଲାଇନ ନମ୍ବର ୧୦୮ ଅଥବା ୧୦୨ରେ ସମ୍ପର୍କ କରାଯାଇ ପାରିବ।