ସିବିଆଇରେ ବିବାଦ : ଛୁଟିରେ ଗଲେ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା

Published By : Prameya-News7 Bureau | October 24, 2018 IST

ନୂଆଦିଲ୍ଲୀ ୨୪|୧୦: ଜଟିଳ ହେବାରେ ଲାଗିଛି ସିବିଆଇ ବିବାଦ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସରକାରଙ୍କ ମୁଣ୍ଡବ୍ୟଥା ବଢାଇ ଦେଇଛି । ଆଜି ସିବିଆଇର ଦୁଇ ମୁଖ୍ୟ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ସରକାର ଛୁଟିରେ ପଠାଇ ଦେଇଛନ୍ତି । ଯୁଗ୍ମ ନିର୍ଦେଶକ ଏମ୍  ନାଗେଶ୍ବର ରାଓଙ୍କୁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ଏମ୍ ନାଗେଶ୍ବର ହେଉଛନ୍ତି ଓଡ଼ିଶା କ୍ୟାଡର ଅଧିକାରୀ । ଘର ତେଲେଙ୍ଗାନା ଓ୍ବାରଙ୍ଗଲ ଜିଲ୍ଲାରେ । ଆଜି ସେ ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଆସ୍ଥାନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ଓ ସିବିଆଇ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଦୁଇ ମୁଖ୍ୟ ଅଧିକାରୀଙ୍କ ମଧ୍ୟରେ ବିବାଦ ଜଟିଳ ହୋଇଥିଲା । ଉଭୟ ଅଧିକାରୀଙ୍କୁ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସମନ୍ କରାଯାଇଥିଲା । ଏମିତିକି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା । ଆସନ୍ତା ୨୯ ପୂର୍ବରୁ ଆସ୍ଥାନାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଗତକାଲି ରାୟ ଦେବା ସହ ସେହିଦିନକୁ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ । ଏଥିସହିତ କୋର୍ଟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କଠାରୁ ଏନେଇ ରିପୋର୍ଟ ମାଗିଛନ୍ତି । ତେବେ ମାମଲାର ତଦନ୍ତ ଚାଲୁ ରଖିବାକୁ କୋର୍ଟ ଅନୁମତି ଦେଇଛନ୍ତି। ସେପଟେ ଏହି ମାମଲାରେ ଗିରଫ ହୋଇଥିବା ସିବିଆଇ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ୭ ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.