ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଲାଗି ସରକାର ଜାରି କଲେ ଗାଇଡଲାଇନ, ପିନ୍ଧିବାକୁ ହେବ ମାସ୍କ, ଏୟାରପୋର୍ଟରେ ହେବ ଯାଞ୍ଚ
23/12/2022 at 5:07 PM

ନୂଆଦିଲ୍ଲୀ ୨୩।୧୨: ଚୀନ୍ ଓ ଆମେରିକା ସମେତ ବିଶ୍ୱର ବିଭିନ୍ନ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଭାରତ ସରକାର ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଲାଗି ଶୁକ୍ରବାର ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ପକ୍ଷରୁ ଜାରି ଗାଇଡ ଲାଇନରେ ଏୟାରପୋର୍ଟରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି। ଏହା ସହ ଯାତ୍ରୀଙ୍କ ରାଣ୍ଡୋମ ଆରଟି-ପିସିଆର ଯାଞ୍ଚ ମଧ୍ୟ ହେବ। ସନ୍ଧିଗ୍ଧ ଯାତ୍ରୀଙ୍କୁ ଆଇସୋଲେଟ କରିବାକୁ ବ୍ୟବସ୍ଥା ମଧ୍ୟ ହୋଇଛି।
ବିମାନ ଯାତ୍ରା ନିମନ୍ତେ ସବୁ ଯାତ୍ରୀଙ୍କ ଲାଗି କୋରନା ଟିକା ଜରୁରି। ବିମାନ ଉଡାଣ କାଳରେ କରୋନାରୁ ସୁରକ୍ଷା ଲାଗି ଉପାୟ ଘୋଷଣା କରାଯିବ। ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ହେବ ଓ ଅନ୍ୟ ଯାତ୍ରୀଙ୍କ ଠାରୁ ଦୂରତା ରଖିବାକୁ ହେବ। ଯଦି କୌଣସି ଯାତ୍ରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଛି ତାଙ୍କୁ ତୁରନ୍ତ ଆଇସୋଲେଟ କରାଯିବ ବୋଲି କୁହାଯାଇଛି। ବିମାନ ଅବତରଣ ପରେ ଯାତ୍ରୀଙ୍କୁ ଆଇସୋଲେସନ ସୁବିଧା ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବ।

ବିମାନ ବନ୍ଦରରେ ଅବତରଣ କାଳରେ ଯାତ୍ରୀଙ୍କୁ ପରସ୍ପରଠାରୁ ଦୂରତା ରଖି ଅବତରଣ କରିବାକୁ ହେବ। ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବ। ସ୍କ୍ରିନିଂ କାଳରେ ଯଦି କୌଣସି ଯାତ୍ରୀଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ତୁରନ୍ତ ଆଇସୋଲେସନ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବ। ଏୟାରପୋର୍ଟରେ ବିମାନ ଲ୍ୟାଣ୍ଡିଂ ପରେ ୨ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡୋମ କରୋନା ପରୀକ୍ଷଣ କରାଯିବ। କେଉଁ ଯାତ୍ରୀଙ୍କ ପରୀକ୍ଷଣ ହେବ ଏହା ଏୟାରଲାଇନ୍ସ ସ୍ଥିର କରିବେ। ଯାତ୍ରୀଙ୍କ ନମୁନା ସଂଗ୍ରହ ପରେ ତାଙ୍କୁ ବିମାନ ବନ୍ଦରରୁ ବାହାରକୁ ଛଡାଯିବ।
ଯଦି କୌଣସି ଯାତ୍ରୀଙ୍କ ରିପୋର୍ଟ ପଜେଟିଭ ଆସେ ତେବେ ଜିନୋମ ସିକ୍ୱେନସିଂ ଲାଗି ଲାବୋରେଟରୀ ନେଟୱାର୍କ ଇନସାକଗକୁ ପଠାଯିବ। ସଂକ୍ରମିତ ଯାତ୍ରୀଙ୍କୁ ଆଇସୋଲେସନରେ ରହିବାକୁ ହେବ ଓ ଷ୍ଟାଣ୍ଡାର୍ଡ ପ୍ରୋଟକଲ ଅନୁସାରେ ତାଙ୍କର ଚିକିତ୍ସା ହେବ। ସବୁ ଯାତ୍ରୀ ଭାରତ ଆସିବା ପରେ ତାଙ୍କୁ ନିଜର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଯଦି କରୋନା ଲକ୍ଷଣ ଦେଖନ୍ତି ତେବେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଅଥବା ଜାତୀୟ ହେଲପ୍ ଲାଇନ ନମ୍ବର ୧୦୭୫ରେ କଲ କରିବାକୁ ହେବ। ୧୨ ବର୍ଷରୁ କମ ବୟସ୍କଙ୍କ ରାଣ୍ଡୋମ ଯାଞ୍ଚ ହେବନି। ପିଲାର ପରିଜନଙ୍କୁ ତା ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ। କରୋନା ଲକ୍ଷଣ ଦେଖାଦେଲେ ପିଲାର ଯାଞ୍ଚ ହେବ ଓ ତାର ଚିକିତ୍ସା କରାଯିବ।