ଚିନିର ମୂଲ୍ୟ ବୃଦ୍ଧି ଉପରେ ଲାଗିବ ରୋକ୍, ସବୁ ସୋମବାର ଷ୍ଟକ୍ ଘୋଷଣା କରିବେ ଟ୍ରେଡର୍ସ ଓ ରିଟେଲର୍ସ
21/09/2023 at 9:37 PM

ନୂଆଦିଲ୍ଲୀ ୨୧।୯: ଚିନି ମୂଲ୍ୟ ବୃଦ୍ଧି ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରିବା ଓ କଳାବଜାରୀ ରୋକିବାକୁ ସରକାର ଟ୍ରେଡର୍ସ, ହୋଲସେଲର୍ସ, ରିଟେଲର୍ସ ଓ ବଡ଼ ଚେନ ରିଟେଲର୍ସଙ୍କ ଲାଗି ପ୍ରତି ସପ୍ତାହରେ ଚିନିର ଷ୍ଟକ୍ ଘୋଷଣା କରିବା ଜରୁରି କରିଛନ୍ତି। ଏହି ସବୁ ବ୍ୟବସାୟୀ ପ୍ରତି ସୋମବାର ନିଜ ଚିନି ଷ୍ଟକ୍ ସୂଚନା ଡିପାର୍ଟମେଣ୍ଟ ଅଫ ଫୁଡ ଓ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ ପୋର୍ଟାଲ https://esugar.nic.in କୁ ଯାଇ ସୂଚିତ କରିବାକୁ ହେବ।
ଖାଦ୍ୟ ଉପଭୋକ୍ତା ମନ୍ତ୍ରାଳୟ କହିଛନ୍ତି ଯେ ସରକାର ଦେଶରେ ଚିନି ମୂଲ୍ୟ ନିୟନ୍ତ୍ରଣ ରଖିବାରେ ସଫଳ ହୋଇଛନ୍ତି। ତେବେ ଜମାଖୋରି ଓ ଚିନି ମୂଲ୍ୟକୁ ନେଇ ବ୍ୟାପୁଥିବା ଗୁଜବ ରୋକିବା ପାଇଁ ଷ୍ଟକ୍ ସମ୍ପର୍କରେ ସୂଚନା ଦେବା ଜରୁରି କରାଯାଇଛି। ସରକାରଙ୍କ କହିବା କଥା ହେଲା ସବୁ ସପ୍ତାହରେ ଷ୍ଟକ୍ ସମ୍ପର୍କରେ ସୂଚନା ଦେଲେ ଚିନି ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ସହାୟତା ମିଳିବ। ଷ୍ଟକ୍ ଉପରେ ନଜର ରଖାଯିବା ପରେ ବଜାରରେ କୌଣସି ପ୍ରକାରର ସମ୍ଭାବିତ ସମସ୍ୟା ଉପୁଜିଲେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ କରିବାରେ ମଧ୍ୟ ସହଜ ହେବ।
ଚିନି ଷ୍ଟକ୍ ଘୋଷଣା କରାଗଲେ ସରକାରଙ୍କୁ ଚିନି ଷ୍ଟକ୍ର ରିୟଲ ଟାଇମ ଡାଟା ମିଳିପାରିବ। ଯାହା ଦ୍ୱାରା ଆବଶ୍ୟକ ପଡିଲେ ସରକାର କୌଣିସ ଆକ୍ସନ ପଲିସି ଗ୍ରହଣ କରିପାରିବେ। ସେହିପରି ଚିନି ମୂଲ୍ୟ ବୃଦ୍ଧି ନେଇ ହେଉଥିବା ଗୁଜବ ମଧ୍ୟ ଥମିଯିବ। ଯେଉଁ ଚିନି ମିଲମାନେ ନିୟମ ପାଳନ କରୁ ନାହାନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ୨୦୨୩ ଅଗଷ୍ଟ ଶେଷ ସପ୍ତାହରେ ୮୩ଲକ୍ଷ ମେଟ୍ରିକ ଟନ ଚିନି ମହଜୁଦ ଥିଲା। ଆସନ୍ତା ଅକ୍ଟୋବରରୁ ପୁଣି କ୍ରସିଂ ଆରମ୍ଭ ହେବ ପରେ ଦେଶରେ ଚିନି ପର୍ଯ୍ୟାପ୍ତ ଷ୍ଟକ୍ ରହିବ।