ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ ଲାଗି ପ୍ରସ୍ତୁତି, ୫୦% ଜବାନ ହୋଇପାରନ୍ତି ସ୍ଥାୟୀ
25/09/2023 at 4:50 PM

ନୂଆଦିଲ୍ଲୀ ୨୫।୯: ସେନାରେ ନିଯୁକ୍ତି ନିମନ୍ତେ ୨୦୨୨ ମସିହାରେ ଲାଗୁ ହୋଇଥିବା ଅଗ୍ନିବୀର ଯୋଜନାରେ ସରକାର ବଡ଼ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଖୁବ୍ ଶୀଘ୍ର ସେନାରେ ସ୍ଥାୟୀ ହେବାକୁ ଥିବା ଜବାନଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ। ତେବେ ଏହାକୁ ନେଇ ଏବେ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଅଗ୍ନିବୀର ଯୋଜନାରେ ନିଯୁକ୍ତି ପାଉଥିବା ଜବାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ସ୍ଥାୟୀ କରାଯାଉଛି।

ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଗ୍ନିବୀରଙ୍କ ସ୍ଥାୟୀ ପ୍ରତିଶତକୁ ବୃଦ୍ଧି କରି ୫୦ ପ୍ରତିଶତକୁ ପହଞ୍ଚାଇବା ନିମନ୍ତେ ଗୁରୁତର ସହ ବିଚାର କରୁଥିବା ଜଣାପଡିଛି। ଗତବର୍ଷରୁ ଲାଗୁ ହୋଇଥିବା ଅଗ୍ନିବୀର ଯୋଜନାରେ ଜବାନଙ୍କୁ ଏବେ ୪ ବର୍ଷ ନିମନ୍ତେ ନିଯୁକ୍ତ କରାଯାଉଛି। ତେବେ ପରେ ୭୫ ପ୍ରତିଶତର ଧାର୍ଯ୍ୟ ରାଶି ସହ ସେମାନଙ୍କୁ ସେନାରୁ ନିବୃତ୍ତ କରିଦିଆଯିବ। ଜଳ,ସ୍ଥଳ ଓ ବାୟୁସେନାରେ ନିଯୁକ୍ତି ନିମନ୍ତେ ଏବେ ଏହି ପ୍ରକ୍ରିୟା ଆପଣାଯାଉଛି। ଏବେ ତିନି ସେନାରେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ଆସିସାରିଲାଣି।

ସୂତ୍ର ଅନୁସାରେ ଯୋଜନାରେ ସୁଧାର ନିମନ୍ତେ ସେନାମାନଙ୍କ ପକ୍ଷରୁ ଅନେକ ପରାମର୍ଶ ମିଳିଲାଣି। ଖାସ କରି ନୌସେନା ଓ ବାୟୁସେନା ୪ ବର୍ଷରେ ୭୫ ପ୍ରତିଶତ ପ୍ରଶିକ୍ଷିତ ଅଗ୍ନିବୀରଙ୍କୁ ଘରକୁ ପଠାଇବାକୁ ଅମଙ୍ଗ ହେଉଛନ୍ତି। ଏପରି ହେଲେ ସେମାନଙ୍କର କ୍ଷତି ହେଉଛି ବୋଲି କହିଛନ୍ତି। କାରଣ ବୈଷୟିକ କାର୍ଯ୍ୟରେ ସେମାନେ ଦକ୍ଷ ହେବାମାତ୍ରେ ସେମାନଙ୍କ ସେବା କାଳ ପୁରା ହୋଇଯିବ। ଏଣୁ ଏମାନଙ୍କୁ ଦିଆଯିବାକୁ ଥିବା ସମସ୍ତ ପ୍ରଶିକ୍ଷଣ ପାଣିରେ ପଡିବ। ଉଲ୍ଲେଖଯୋଗ୍ୟ ଯେ ନୌସେନା ଓ ବାୟୁସେନାରେ ଅଧିକାଂଶ ଅଗ୍ନିବୀର ବୈଷୟିକ କାମ କରିଥାନ୍ତି। ସ୍ଥଳ ସେନାର ଅନେକ ଶାଖାରେ ଜାବନଙ୍କୁ ବୈଷୟିକ କାମ କରିବାକୁ ଦିଆଯାଉଛି। ଏବେ ପ୍ରଥମ ବ୍ୟାଚ୍କୁ ବର୍ଷଟିଏ ପୂରଣ ହୋଇଛି। ଏଣୁ ଏହି ମାମଲାରେ ନିଷ୍ପତ୍ତି ନେବାକୁ ସରକାରଙ୍କ ନିକଟରେ ଏବେ ସମୟ ଅଛି।
ଦେଶର ପ୍ରଥମ ହାଇଡ୍ରୋଜନ ଫ୍ୟୁଲସେଲ ବସ୍ ଲୋକାର୍ପିତ, ଚାଲୁଛି ପବନ ଓ ପାଣିରେ