ରେଳ ଟିକେଟ୍ରେ ସରକାର ଏପରି ଲୋକଙ୍କୁ ଦେଉଛନ୍ତି ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ ଆପଣଙ୍କ ଲାଗି ରହିଛି କ’ଣ
9/02/2020 at 6:16 PM

ନୂଆଦିଲ୍ଲୀ ୯।୨: ଭାରତୀୟ ରେଳ ୫୩ଟି ଶ୍ରେଣୀରେ ଯାତ୍ରା ଲାଗି ଟିକେଟ୍ କିଣିଲେ ଯାତ୍ରୀଙ୍କୁ ରିହାତି ପ୍ରଦାନ କରୁଛନ୍ତି। ଏଥିରେ ଯାତ୍ରୀଙ୍କୁ ରେଳ ଭଡାରେ ୧୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରୁଥିବା କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ଲୋକସଭାକୁ ସୂଚିତ କରିଛନ୍ତି । ତେବେ ହମସଫର, ଅନ୍ତ୍ୟୋଦୟ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରନଗୁଡିକ ନୂଆକରି ଆରମ୍ଭ ହୋଇଥିବାରୁ ଏଥିରେ ଏବେ ରିହାତି ଦିଆଯାଉନଥିବା କହିଛନ୍ତି ରେଳମନ୍ତ୍ରୀ।

ଭାରତ ସରକାର ବିଭିନ୍ନ ଶ୍ରେଣୀରେ ରେଳଯାତ୍ରୀଙ୍କୁ ଦେଉଥିବା ରିହାତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ଯଦି କର୍କଟ ରୋଗାକ୍ରାନ୍ତ ଯାତ୍ରୀ ଚିକିତ୍ସା ନିମନ୍ତେ ଏକା ଅଥବା ଏସ୍କର୍ଟ ସହ ଯାତ୍ରା କରୁଥାନ୍ତି ତେବେ ଏସି ପ୍ରଥମ ଶ୍ରେଣୀ ଓ ଏସି ଚେୟାର କାରରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ତେବେ ସ୍ଲିପର କ୍ଲାସ୍ ଅଥବା ଥାର୍ଡ ଏସି ବଗିରେ ଯାତ୍ରା କଲେ ରେଳ ଭଡାରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଥିବା ରେଳମନ୍ତ୍ରୀ କହିଛନ୍ତି।

ସେହିପରି ଥାଲସେମିଆ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଟ୍ରେନରେ ଯାତ୍ରା ଲାଗି ଦ୍ୱିତୀୟ ଶ୍ରେଣୀ ସ୍ଲିପର, ପ୍ରଥମ ଶ୍ରେଣୀ, ଥାର୍ଡ ଏସି ଅଥବା ଏସି ଚେୟାର କାରରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ହୃଦରୋଗୀଙ୍କୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଏସି ବଗିରେ ଯାତ୍ରା ନିମନ୍ତେ ୭୫ ପ୍ରତିଶତ, ବୃକକ ରୋଗୀଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ଅଥବା ହିମୋଫିଲିଆ ଚିକିତ୍ସା ନିମନ୍ତେ ଯାତ୍ରା ଲାଗି ଦ୍ୱିତୀୟ ଶ୍ରେଣୀ ସ୍ଲିପର ଅଥବା ଫାଷ୍ଟ କ୍ଲାସ ରେଳ ଭଡାରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।

ଏହା ଛଡା ରେଳ ଯାତ୍ରାରେ ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଟ ନାଗରିକଙ୍କୁ ବି ରେଳବାଇ ରିହାତି ପ୍ରଦାନ କରୁଛନ୍ତି। ଦିବ୍ୟାଙ୍ଗଙ୍କୁ ତାଙ୍କ ସାର୍ଟିଫିକେଟ୍ ଅନୁସାରେ ରିହାତି ମିଳୁଥିବା ବେଳେ ବୟୋଜ୍ୟେଷ୍ଠ ନାଗିରକଙ୍କୁ ବୟସ ଦୃଷ୍ଟିରୁ ସଂରକ୍ଷଣ ଓ ଭଡାରେ ରିହାତି ପ୍ରଦାନ କରାଯାଉଛି। ତେବେ ବିଦେଶୀ ବୟୋଜ୍ୟେଷ୍ଠ ନାଗରିକ ଓ ଏନଆରଆଇଙ୍କୁ ଏହି ସବୁ ରିହାତି ସୁଯୋଗ ମିଳୁନଥିବା କହିଛନ୍ତି ରେଳମନ୍ତ୍ରୀ।