ନୂଆଦିଲ୍ଳୀ ୦୩/୧୨: ସାଢ଼େ ସାତ ଘଣ୍ଟା ଆଲୋଚନାରୁ ମିଳିଲାନି ନିଷ୍କର୍ଷ । ଗୁରୁବାର ଦିନ ୧୨ରୁ ଏବେ ଯାଏଁ ଚାଲିଥିବା କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ବୈଠକ ସରିଲା କିନ୍ତୁ ସାମଧାନ ସୂତ୍ର ମିଳିଲାନି। ପୁଣିଥରେ ଡିସେମ୍ବର ୫ରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ବୈଠକ ହେବା ନେଇ ସ୍ଥିର ହୋଇଛି। ସେପଟେ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କୃଷକ ଓ ସରକାର ନିଜ ନିଜର ପକ୍ଷ ରଖିଛନ୍ତି। କୃଷକଙ୍କ ହିତ ପାଇଁ ସରକାର ପ୍ରତିବଦ୍ଧ। ସରକାର ଖୋଲା ମନରେ କୃଷକ ସଂଗଠନ ସହ ଆଲୋଚନା କରିଛନ୍ତି।
ବୈଠକରେ କୃଷକ ନେତାଙ୍କୁ କୃଷି ମନ୍ତ୍ରୀ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି)ରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ। ନୂଆ କୃଷି ନୀତି ରଦ୍ଦ କରିବାକୁ ନେଇ କୃଷକମାନେ ଦାବି କରୁଥିବା ବେଳେ ଗୁରୁବାର ପୁଣିଥରେ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଗୁରୁବାର ଦିନ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଓ ପଞ୍ଜାବର ସାଂସଦ ତଥା ବାଣିଜ୍ୟ ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଦିଲ୍ଲୀର ବିଜ୍ଞାନ ଭବନରେ ୩୫ କୃଷକ ସଂଗଠନର ପ୍ରତିନିଧିଙ୍କ ସହ ବୈଠକ କରିଥିଲେ।
ବୈଠକରେ ଚାଷୀ ନେତା ନୂଆ କୃଷି ନିୟମ ଫେରାଇବା ପାଇଁ ଏକ ସଂସଦରେ ବିଶେଷ ଅଧିବେଶନ କରିବାକୁ ଦାବି କରିଥିଲେ। ନୂଆ କୃଷି ନିୟମ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଦାବି ଉପରେ ଚିନ୍ତା କରିବାକୁ ନେଇ ଏକ ସମିତି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ଅସ୍ବିକାର କରିଛି କୃଷକ ସଂଗଠନ। ଏଥି ପାଇଁ ଡିସେମ୍ବର୧ରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା।