‘ନୂଆ ଲାପ୍ଟପ୍-କମ୍ପ୍ୟୁଟର ଆମଦାନୀ ନିୟମ ତୁରନ୍ତ ଲାଗୁ ହେବନି’: ସ୍ପଷ୍ଟ କଲେ କେନ୍ଦ୍ର ସରକାର
4/08/2023 at 9:07 PM

ନୂଆଦିଲ୍ଲୀ, ୦୪/୦୮: ବିଦେଶୀରୁ ଲାପ୍ଟପ୍, ଟାବଲେଟ୍, ପର୍ସନାଲ କମ୍ପ୍ୟୁଟର ଆମଦାନୀ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିକୁ ଧ୍ୟାନରେ ରଖି ତଥା ଦେଶରେ ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ରୋଜଗାର ଅବସର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରକୃତରେ କେନ୍ଦ୍ର ସରକାର ଭାରତକୁ ଏକ ମୁଖ୍ୟ ଉତ୍ପାଦନ ହବ୍ କରିବା ଦିଗରେ ଚେଷ୍ଟା କରୁଛନ୍ତି। ବିଶେଷ କରି ଟେକ୍ନୋଲୋଜି କ୍ଷେତ୍ରରେ। ଏଣୁ ଏହି କ୍ଷେତ୍ରରେ ସାମଗ୍ରୀ ଉପରେ ନିର୍ଭରତା କମ୍ କରିବା ପାଇଁ ନୂଆ ନୂଆ ପଦକ୍ଷେପ ମଧ୍ୟ ନେଉଛନ୍ତି।
ବୈଦେଶିକ ବ୍ୟାପାର ନିର୍ଦ୍ଦେଶାଳୟ ବା ଡିଜିଏଫ୍ଟି ଗୁରୁବାର ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଡିଜିଏଫଟି କହିଛି ଏହି ନିଷ୍ପତ୍ତି ପରେ ଚୀନ୍ ଭଳି ଦେଶରୁ ଆମଦାନୀ ହ୍ରାସ ହେବ। ଡିଜିଏଫଟି ଏହା କହିଛି ଯେ ଏହି ନିଷ୍ପତ୍ତି ଦ୍ବାରା ଆହୁରି ଦୁଇଟି ସୁବିଧା ହେବ। ପ୍ରଥମେ ଦେଶ ଭିତରେ ଏହାର ଉତ୍ପାଦନ ବୃଦ୍ଧି ହେବା ଦ୍ବାରା ଦେଶରେ ଅଧିକ ରୋଜଗାର ଅବସର ସୃଷ୍ଟି ହେବ। ଆଉ ଦ୍ବିତୀୟରେ ଦେଶର ଜିଡିପି ମଧ୍ୟ ମଜବୁତ କରିବାରେ ଏହା ବିଶେଷ ଭାବେ ସହାୟକ ହେବ।
ଆହୁରି ପଢ଼ନ୍ତୁ:ସରକାରଙ୍କ ବଡ଼ ନିଷ୍ପତ୍ତି, ବିଦେଶରୁ ଲାପଟପ୍, କମ୍ପ୍ୟୁଟର ଓ ଟାବଲେଟ୍ ଆମଦାନୀ ଉପରେ ଲାଗିଲା ରୋକ୍
ସେପଟେ ହଠାତ୍ ଏହି ପଦକ୍ଷେପ ଦ୍ବାରା ଦେଶକୁ ଆମଦାନୀ ହେଉଥିବା ଲାପ୍ଟପ୍, କମ୍ପ୍ୟୁଟର ଆଦିର ମୂଲ୍ୟ ବଢ଼ିପାରେ। ଆପଲ ଭଳି କମ୍ପାନିଙ୍କୁ ରପ୍ତାନୀ ବନ୍ଦ କରିବାକୁ ପଡ଼ିବ। ଅନ୍ୟ କମ୍ପାନି ଯେମିତିକି ଲେନୋଭୋ, ଏଚପି, ଆସୁସ, ଏସର, ସାମସଙ୍ଗ ଭଳି କମ୍ପାନିଙ୍କୁ ମଧ୍ୟ ଆମଦାନୀ ବନ୍ଦ କରିବେ। କାରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବା ଦ୍ବାରା ବଜାରରେ ଅଭାବ ଦେଖାଦେଇପାରେ। ଅର୍ଥାତ୍ ଚାହିଦା ଅଧିକ ଏବଂ ଯୋଗାଣ କମ୍ ହେବ। ଆଉ ଏହି ସମୟରେ ରିଲାଏନ୍ସ ଜିଓବୁକ୍ ଭଳି ଘରୋଇ କମ୍ପାନିଙ୍କୁ ଫାଇଦା ହୋଇପାରେ।
ତୁରନ୍ତ ଲାଗୁ ହେବନି ନିୟମ: କେନ୍ଦ୍ର ସରକାର
ନୂଆ ନିୟମ ଅନୁଯାୟୀ ଏହି ସବୁ ସାମଗ୍ରୀ ଭାରତକୁ ଆମଦାନୀ କରିବାକୁ ହେଲେ କମ୍ପାନିଙ୍କୁ ଏକ ସ୍ବତନ୍ତ୍ର ଲାଇସେନ୍ସ ନେବାକୁ ହେବ। ତେବେ ଗୁରୁବାର ଘୋଷଣା ପରେ ଏହାକୁ ଦ୍ବନ୍ଦ୍ବ ଉପୁଜିଥିଲା ଯେ, ଏହି ନିୟମ ତୁରନ୍ତ ଲାଗୁ ହେଲେ ଅନେକ ଅସୁବିଧା ଦେଖାଦେଇପାରେ। କିନ୍ତୁ ଶୁକ୍ରବାର କେନ୍ଦ୍ର ସରକାର ସ୍ପଷ୍ଟ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି। ଡେପୁଟି ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏହି ନିୟମ ଲାଗୁ ପାଇଁ ୧ରୁ ୪ ମାସ ପର୍ଯ୍ୟନ୍ତ ସମୟ ଦିଆଯିବ। ଏହା ସହ ପ୍ରକୃତ ତାରିଖ ଖୁବ ଶୀଘ୍ର ସୂଚିତ କରାଯିବ।
ଅବଶ୍ୟ ବ୍ୟାଗେଜ୍ ନିୟମକୁ ଏଥିରେ ଛାଡ଼ ଦିଆଯାଇଛି। ଅର୍ଥାତ୍ ଲୋକମାନେ ବିଦେଶରୁ ଗୋଟିଏ ଲାପ୍ଟପ୍ ବ୍ୟକ୍ତିଗତ ବ୍ୟବହାର ପାଇଁ ଆଣିପାରିବେ। ଏହା ବ୍ୟତୀତ ଅନୁସନ୍ଧାନ, ବିକାଶ, ପରୀକ୍ଷଣ, ମରାମତି ଭଳି କାମ ପାଇଁ ପ୍ରତି ଥର ୨୦ଟି ସାମଗ୍ରୀ ଆମଦାନୀ କରିହେବ।