ଘର ଖଣ୍ଡିଏ ପାଉନାହାନ୍ତି କର୍ମଚାରୀ, ସେପଟେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବି ଜରାଜୀର୍ଣ୍ଣ ଅବସ୍ଥାରେ ସରକାରୀ କୋଠା
15/09/2021 at 4:45 PM

ବିନିକା ୧୫।୯: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ସରକାରୀ ଘର ନଥିବାରୁ କର୍ମଚାରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏମିତିକି ବାହାରେ ଅଧିକ ଟଙ୍କାରେ ଘର ଭଡ଼ା ନେଇ ରହୁଥିବା ବେଳେ ଆଉ କିଛି କର୍ମଚାରୀ ନିଜ ଘରୁ ଯାତାୟାତ କରୁଛନ୍ତି । ବିଓସି ଶ୍ରେଣୀର ସରକାରୀ କର୍ମଚାରୀମାନଙ୍କ ରହିବା ପାଇଁ ସମସ୍ତ ସୁବିଧାରେ ବଡଫଟାମୁଣ୍ଡାଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇ ପଡ଼ିରହିଛି ।

ସରକାରୀ କର୍ମଚାରୀମାନଙ୍କ ରହିବା ପାଇଁ ନିର୍ମାଣ ହୋଇଥିବ ଗୃହଟି ଜାତୀୟ ରାଜପଥ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଦୀର୍ଘ ଦିନ ହେବ ତିଆରି ହୋଇଥିଲେ ବି ନା କୌଣସି ସରକାରୀ କର୍ମଚାରୀ ସେଠି ରହୁଛନ୍ତି ନା ଗୃହଗୁଡିକ ଠିକ୍ ସେ ରହିଛି । ଘର ଗୁଡ଼ିକ ଚାରିଆଡ଼େ ଗଛ ଲତା ଲାଗି ଜଙ୍ଗଲ ହୋଇଗଲାଣି । ଘରେ ଲାଗିଥିବା କବାଟ ଝରକା ବିଦ୍ୟୁତ ସାମଗ୍ରୀ ସବୁକିଛି ଆଉ ନଥିବା ବେଳେ ସନ୍ଧ୍ୟା ସମୟରେ ଅସାମାଜିକ ଲୋକଙ୍କ ଆଡ୍ଡା ହେଉଛି । ଅସାମାଜିକ ଲୋକଙ୍କ ଆଡ୍ଡା ହୋଇଥିବାରୁ ସନ୍ଧ୍ୟା ସମୟରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ମଧ୍ୟ ଭୟଭୀତ ହେଉଛନ୍ତି ।

ସରକାରୀ କର୍ମଚାରୀମାନଙ୍କ ରହିବା ପାଇଁ ସମସ୍ତ ସୁବିଧାରେ ସରକାରୀ ଅର୍ଥରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପଡ଼ିରହିଥିବା କୋଠା ଗୁଡିକ ତୁରନ୍ତ ମରାମତି କରି କର୍ମଚାରୀମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି ହେଉଛି । ଅନ୍ୟପଟେ ଏ ସମ୍ପର୍କରେ ଅବଗତ ନଥିବା ଏବଂ ତଦନ୍ତ କରାଯାଇ କୋଠା ଗୁଡ଼ିକର ବ୍ୟବସ୍ଥା କରାଯିବ ବୋଲି ଡୁଙ୍ଗୁରିପାଲି ବିଡିଓ କହିଛନ୍ତି ।