କେନ୍ଦ୍ରାପଡ଼ା ଅଟୋନୋମସ କଲେଜ୍ରେ ୫ଟି ବିଷୟରେ ନୂଆ ପିଜି ପାଠ୍ୟକ୍ରମକୁ ସରକାରଙ୍କ ମଞ୍ଜୁରି
1/05/2023 at 5:08 PM

କେନ୍ଦ୍ରାପଡ଼ା ୦୧/୦୫: କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ୫ଟି ବିଷୟରେ ନୂଆ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ବିଧିବଦ୍ଧଭାବେ ଅନୁମତି ମିଳିଛି। ଏସବୁ ବିଷୟଗୁଡ଼ିକମଧ୍ୟରେ ହିନ୍ଦୀ, ଇଂରାଜୀ, କମ୍ପୁଟର ବିଜ୍ଞାନ, ଗଣିତ ଓ ଉଦ୍ଭିଦ ବିଜ୍ଞାନ ସ୍ଥାନପାଇଛି। ପ୍ରତି ବିଷୟରେ ୩୨ଟି ସିଟ ରହିଛି। ସେହିପରି କଳା ବିଭାଗରେ ୬୪ଟି ଅଧିକ ସିଟ୍ ପାଇଁ ମଧ୍ଯ ସରକାର ମଞ୍ଜୁରୀ ଦେଇଛନ୍ତି।

ପାଠାଗାର ବିଜ୍ଞାନ (ଲାଇବ୍ରେରି ସାଇନ୍ସ) ଓ ଗୃହ ବିଜ୍ଞାନ (ହୋମ ସାଇନ୍ସ) ପରି କିଛି ନୂଆ ବିଷୟରେ ଏଣିକି ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ନିକଟରେ ଫାଇବ୍ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦ୍ରାପଡା ଗସ୍ତରେ ଆସିଥିଲେ। ତେଣୁ କଲେଜ କର୍ତ୍ତୃପକ୍ଷ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ବିଷୟରେ ତାଙ୍କୁ ଜଣାଇଥିଲେ।

ପାଣ୍ଡିଆନ୍ଙ୍କ ଗସ୍ତ ପରଦିନ କଲେଜକୁ ୨କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ଏହି ଅର୍ଥରେ କଲେଜରେ ଇ-ପାଠାଗାର, ଶୌଚାଳୟ, ସ୍ମାର୍ଟ କ୍ଲାସ୍ ପ୍ରଭୃତି ତିଆରି ହେବ ବୋଲି କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି। ସୂଚନା ଥାଉକି, ପୂର୍ବରୁ ଏଠାରେ ୧୦ଟି ବିଷୟରେ ପିଜି ପାଠ୍ୟକ୍ରମ ରହିଥିଲା।