ଲେପ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ଦେଶର ପରବର୍ତ୍ତୀ ସିଡିଏସ, କେନ୍ଦ୍ର ସରକାର ଦେଲେ ନିଯୁକ୍ତି

Published By : Prameya-News7 Bureau | September 28, 2022 IST

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଦେଶର ନୂଆ ସିଡିଏସ ନିଯୁକ୍ତ କରିଛନ୍ତି । ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ (ସେବା ନିବୃତ୍ତ)ଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ସେ ଭାରତ ସରକାରଙ୍କ ସୈନ୍ୟ ମାମଲା ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ଅନିଲ ଚୌହାନ ଦେଶର ଡିଜିଏମଏଓ, ସେନାର ପୂର୍ବ କମାଣ୍ଡର ପ୍ରମୁଖ ଭାବେ ସେବା ପ୍ରଦାନ କରିସାରିଛନ୍ତି । ବର୍ତ୍ତମାନ ସମୟରେ ସେ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସଚିବାଳୟରେ ମିଲିଟ୍ରୀ ପରାମର୍ଶଦାତା ଭାବେ ନିଯୁକ୍ତ ଅଛନ୍ତି । ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ସିଡିଏସ ପଦ ଖାଲି ରହିଥିଲା।  

wp:html /wp:html

ଲେପ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ୨୦୨୧ ମେ ମାସରେ ପୂର୍ବ କମାଣ୍ଡର ପ୍ରମୁଖ ଭାବେ ସେବାରୁ ଅବସର ନେଇଥିଲେ । ତାଙ୍କୁ ଜାମ୍ମୁ କାଶ୍ମୀର ଏବଂ ଉତ୍ତର-ପୂର୍ବରେ ଆତଙ୍କବାଦୀ ବିରୋଧୀ ଅଭିଯାନର ବ୍ୟାପକ ଅନୁଭବ ରହିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ନିଯୁକ୍ତିର ସୂଚନା ଦେବା ସହ କହିଛି, ରିଟାୟର୍ଡ ଲେପ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ନିଜର ୪୦ ବର୍ଷରୁ ଅଧିକ ସମୟର କ୍ୟାରିୟରରେ ଅନେକ କମାଣ୍ଡର ନେତୃତ୍ୱ ନେଇଛନ୍ତି।

ବୟାନ ଅନୁସାରେ, ୧୯୬୧ ମସିହା ମେ ୧୮ରେ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନଙ୍କ ଜନ୍ମ । ୧୯୮୧ ମସିହାରେ ସେ ଭାରତୀୟ ସେନାର ୧୧ ଗୋରଖା ରାଇଫଲ୍ସରେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସୁରକ୍ଷା ଏକାଡେମୀ, ଖଡକବାସଲା  ଏବଂ ଭାରତୀୟ ସୈନ୍ୟ ଏକାଡେମୀ ଡେହେରାଡୁନରୁ ସେ ନିଜର ଶିକ୍ଷା ଲାଭ କରିଛନ୍ତି । ମେଜର ଜେନେରାଲ ରାଙ୍କରେ ସେ ଉତ୍ତର କମାଣ୍ଡର ଗୁରୁତ୍ୱପୂର୍ଣ୍ଣ ବାରାମୁଲା ସେକ୍ଟରରେ ଏକ ଇନଫ୍ରେଣ୍ଟ୍ରୀ ଡିଭିଜନର ନେତୃତ୍ୱ ନେଇଥିଲେ। ଏହାପରେ ସେ ଲେଫ୍ଟନାଣ୍ଟ ଜେନେରାଲ ଭାବେ ଉତ୍ତର ପୂର୍ବ ଭାରତର ଏକ ପ୍ରମୁଖ କମାଣ୍ଡର ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ୨୦୧୯ ଡିସେମ୍ୱରରେ ପୂର୍ବ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ- ଇନ-ଚିଫ୍ ହୋଇଥିଲେ। ୨୦୨୧ରେ ସେନାରୁ ଅବସର ନେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ୱର ୮ରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୨ ଜଣ ଯବାନଙ୍କ  ଏକ ହେଲେକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହାପରଠୁ ସିଡିଏସ ପଦ ଖାଲି ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.