ନୂଆଦିଲ୍ଲୀ: ସରକାର ୮୦ ହଜାର କୋଟି ଟଙ୍କାର ଡିଜିଟାଲ ଭାରତ ନିଧି ଘୋଷଣା କରିଛନ୍ତି। ଯାହା ଏବେ ସହରାଞ୍ଚଳରେ ବି ଟେଲିକମ୍ ସେବାକୁ ଫଣ୍ଡିଂ ଯୋଗାଇବ । ଫଣ୍ଡକୁ ସେହି ପ୍ରୋଜେକ୍ଟ ପାଇଁ ବ୍ୟବହାର କରାଯିବ ଯାହା ଟେଲିକମ ସେବାକୁ ଶସ୍ତା ଏବଂ ସୁରକ୍ଷିତ କରିବାରେ ସହାୟକ ହେବ। ଫଣ୍ଡରେ ମୋବାଇଲ ଏବଂ ବ୍ରଡବ୍ୟାଣ୍ଡ ସହ ଟେଲିକମ ଉପକରଣ ପାଇଁ ମଧ୍ୟ ସହାୟତା ମିଳିବ।
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳ, ଉପାନ୍ତ ଏବଂ ସହରାଞ୍ଚରେ ଟେଲିକମ ସେବାର ପହଞ୍ଚକୁ ସୁଲଭ ଏବଂ ଉତ୍ତମ କରିବା । ତେଣୁ ଏହି ଯୋଜନାରେ ଟେଲିକମ ସେବା ଏବଂ ଜରୁରୀ ଉପକରଣ ପାଇଁ ଫଣ୍ଡିଂ ମିଳିବ । ଦୂରସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଏହି ପଦକ୍ଷେପ ସମସ୍ତଙ୍କୁ ସମାନ ଟେଲିକମ ସେବା ଯୋଗାଇବାରେ ସହାୟକ ହେବ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟକୁ ମଜଭୁତ କରିବ।
ସୂଚନାଥାଉକି, ୨୦୨୪ ମାର୍ଚ୍ଚରେ ଏହି ଫଣ୍ଡରେ ୭୯, ୬୩୮ କୋଟି ଟଙ୍କା ଜମା କରାଯାଇଥିଲା। ପୂର୍ବରୁ ଏହା କେବଳ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳ ଉପରେ ଟେଲିକମ ସେବାର ବିକାଶ ଉପରେ ଧ୍ୟାନ ଦେଉଥିଲା। ଏମିତିକି ଏହାର ନାଁ ୟୂନିଭର୍ସାଲ ସର୍ଭିସେଜ ଅବ୍ଲିଗେସନ ଫଣ୍ଡ୍ (USOF) ରହିଥିଲା । ଯାହାକୁ ଏବେ ବଦଳାଇ ‘ଡିଜିଟାଲ ଭାରତ ନିଧି’ କରାଯାଇଛି। ଏହି ଫଣ୍ଡ୍ ଦ୍ବାରା ନୂଆ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପ୍ସଙ୍କୁ ମଧ୍ୟ ସହାୟତା ମିଳିବ। ଡିଜିଟାଲ ଭାରତ ନିଧି ଅନୁଯାୟୀ ଫଣ୍ଠିଂ ହୋଇଥିବା ପ୍ରୋଜେକ୍ଟକୁ, ଟେଲିକମ୍ ନେଟଓ୍ବର୍କମାନେ ବିନା ଭେଦଭାବରେ ପରିଚାଳନା କରିବେ।