H3N2 ଭୂତାଣୁ ନେଇ ସରକାର ସତର୍କ, କହିଲେ କେବେ ହ୍ରାସ ହେବ ସଂକ୍ରମଣ
10/03/2023 at 7:04 PM

ନୂଆଦିଲ୍ଲୀ ୧୦।୩: ଦେଶରେ ଏଚ୍୩ଏନ୍୨(ଇନଫ୍ଲୁଏଞ୍ଜା) ଭାଇରସ ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଏଥିରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି। ଋତୁକାଳୀନ ଇନଫ୍ଲୁଏଞ୍ଜା ସଂକ୍ରମଣ ମାର୍ଚ୍ଚମାସ ଶେଷ ସୁଦ୍ଧା ହ୍ରାସ ହେବ ବୋଲି କହିଛନ୍ତି। ତେବେ ଏଚ୩ଏନ୨ ଉପପ୍ରକାର ମାମଲା ଉପରେ କଡା ନଜର ରଖାଯାଇଛି। ରିୟଲ ଟାଇମ ଆଧାରରେ ଆଇଡିଏସପି ନେଟୱାର୍କ ମାଧ୍ୟମରେ ରାଜ୍ୟମାନଙ୍କର ମାମଲା ଉପରେ ନଜର ରଖାଯିବା ସହ ଟ୍ରାକିଂ ମଧ୍ୟ କରାଯାଉଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଇନଫ୍ଲୁଏଞ୍ଜା ଭାଇରସର ପ୍ରସାରଣକୁ ଦେଖି ସମୀକ୍ଷା ବୈଠକ କରିଛନ୍ତି। ଏହି ଭୂତାଣୁ ସଂକ୍ରମଣ ପରଠାରୁ ଏ ପର୍ଯ୍ୟନ୍ତ ଭାରତରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ଦାବି କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ମାତ୍ର ୨ଟି ମୃତ୍ୟୁ ପୁଷ୍ଟି କରାଯାଇଛି। ଗୋଟିଏ କର୍ଣ୍ଣାଟକରେ ହୋଇଥିବା ବେଳେ ଅନ୍ୟଟି ହରିୟାଣାରେ ପୁଷ୍ଟି ହୋଇଛି। ବାକି ୪ ଜଣଙ୍କ ମୃତ୍ୟୁର ଯାଞ୍ଚ କରାଯାଉଥିବା କୁହାଯାଇଛି।

ଫର୍ଟିସ୍ ହସ୍ପିଟାଲର ଇଣ୍ଟରନାଲ ମେଡିସିନ ଡାକ୍ତର ବିଶାଲ ଗୁପ୍ତା ପ୍ରଦୂଷଣ ଏକତ୍ର କରୁଥିବା କାରକଙ୍କ କାରଣରୁ ଏହି ଇନଫ୍ଲୁଏଞ୍ଜା ବ୍ୟାପୁଥିବାର ଆଶଙ୍କା କରିଛନ୍ତି। ଲୋକେ ଏବେ ଆଉ ମାସ୍କ ପିନ୍ଧୁ ନଥିବା ବେଳେ ଅସୁସ୍ଥ ହେଲେ ନିଜକୁ ନିଜେ ଔଷଧ ଦୋକାନରୁ କିଣି ଖାଉଥିବାର କହିଛନ୍ତି। ଫଳରେ ବ୍ରୋଙ୍କାଇଟିସ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ଆଇସିଏମଆର ଆଡଭାଇଜରୀ ଜାରି କରିଛନ୍ତି।
ଡାକ୍ତରଙ୍କ ଅନୁସାରେ ଇନଫ୍ଲୁଏଞ୍ଜାର ଅଧିକାଂଶ ଆକ୍ରାନ୍ତଙ୍କଠାରେ ଏକା ଭଳି ଲକ୍ଷଣ ଦେଖାଯାଉଛି। ଯେପରି କାସ, ଗଳାରେ ସଂକ୍ରମଣ, ଦେହ ହାତ ବିନ୍ଧା ଛିଟକା ଓ ନାକରୁ ପାଣି ବୋହିବା ଏହି ସଂକ୍ରମଣର ଲକ୍ଷଣ। ଏମସ୍ର ପୂର୍ବତନ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏଚ୩ଏନ୨କୁ ଏକ ପ୍ରକାର ଇନଫ୍ଲୁଏଞ୍ଜା ବୋଲି କହିଛନ୍ତି। ପ୍ରତିବର୍ଷ ଏହି ସମୟରେ ଲୋକେ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇଥାନ୍ତି। ଏହା ଏକ ଏପରି ଭୂତାଣୁ ଯାହା ସମୟ ସହିତ ମ୍ୟୁଟାଣ୍ଟ ହୋଇ ଚାଲିଛି ବୋଲି ସେ କହିଛନ୍ତି।

ଏହି ଇନଫ୍ଲୁଏଞ୍ଜା ଭାଇରସ ଡ୍ରପଲେଟ ମାଧ୍ୟମରେ କୋଭିଡ ପରି ବ୍ୟାପିଥାଏ ବୋଲି ଡା. ଗୁଲେରିଆ କହିଛନ୍ତି। ତେବେ ଏପରି ଲୋକଙ୍କୁ ଏଥି ପାଇଁ ସାବଧାନ ରହିବାକୁ ହେବ ଯେଉଁମାନଙ୍କର ପୂର୍ବରୁ ବେମାରୀ ରହିଛି। ଏଣୁ ସତର୍କତା ସ୍ୱରୂପ ମାସ୍କ ପିନ୍ଧନ୍ତୁ ,ବାରମ୍ବାର ହାତ ଧୁଅନ୍ତୁ ଶାରୀରିକ ଦୂରତା ରଖନ୍ତୁ। ତେବେ ଏପରି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ପୂର୍ବରୁ ଭେକ୍ସିନ ଥିବା ସେ କହିଛନ୍ତି। ଏମସ୍ ମେଡିସିନ ଡିପାର୍ଟମେଣ୍ଟର ପ୍ରଫେସର ପିୟୁଷ ରଞ୍ଜନ ଏଚ୩ଏନ୨ ଉପର ରେସ୍ପିରେଟେରୀ ଟ୍ରାକ୍ଟକୁ ପ୍ରଭାବିତ କରୁଥିବା କହିଛନ୍ତି। ଏଣୁ ଜ୍ୱର, କାସ,ଥଣ୍ଡା, ଗଳା, ନାକ ଓ ଆଖିରେ ଜ୍ୱଳା ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଛି ବୋଲି କହିଛନ୍ତି।