FCRA ନିୟମରେ ପରିବର୍ତ୍ତନ କଲା ଗୃହ ମନ୍ତ୍ରଣାଳୟ, ବିଦେଶରେ ଥିବା ସମ୍ପର୍କୀୟ ପଠାଇ ପାରିବେ ୧୦ ଲକ୍ଷ ଯାଏଁ ଟଙ୍କା

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଦେଶୀ ଚାନ୍ଦା ଅଧିନିୟମ (ଏଫସିଆରଏ) ସହ ଜଡିତ ନିୟମରେ ସଂଶୋଧନ କରି ଭାରତୀୟଙ୍କୁ ବିଦେଶରୁ ରହୁଥିବା ନିଜ ସମ୍ପର୍କୀୟଠାରୁ ବର୍ଷକୁ ୧୦ ଲକ୍ଷ ଟଙ୍କା ଯାଏଁ ପାଇବାର ଅନୁମତି ଦିଆଯାଇଛି । ଏବଂ ଏଥିପାଇଁ ତାଙ୍କୁ କୌଣସି ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡିବ ନାହିଁ । ଏହା ପୂର୍ବରୁ କେବଳ ଏକ ଲକ୍ଷ ଟଙ୍କା ପାଇଁ ଅନୁମତି ଦିଆଯାଇଥିଲା । ମନ୍ତ୍ରଣାଳୟ ସୂଚନା ଅନୁସାରେ ଯଦି ୧୦ ଲକ୍ଷ ଟଙ୍କାରୁ ଅଧିକ ହୁଏ ତେବେ ପୂର୍ବର ୩୦ ଦିନ ପରିବର୍ତ୍ତେ ଏବେ ସରକାରଙ୍କୁ ସୂଚନା ଦେବା ପାଇଁ ୯୦ ଦିନର ସମୟ ମିଳିବ।

ବିଦେଶୀ ଚାନ୍ଦା ସଂଶୋଧନ ନିୟମ, ୨୦୨୨ ସମ୍ପର୍କରେ ଶୁକ୍ରବାର ରାତିରେ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ନୂଆ ନିୟମରେ କୁହାଯାଇଛି, ବିଦେଶୀ ଚାନ୍ଦା ନିୟମ ୨୦୧୧, ନିୟମ ୬ରେ ପରିବର୍ତ୍ତନ କରାଯାଇ ଏକ ଲକ୍ଷ ଟଙ୍କା ଶବ୍ଦ ପରିବର୍ତ୍ତେ ୧୦ ଲକ୍ଷ ଟଙ୍କା ଏବଂ ୩୦ ଦିନ ସ୍ଥାନରେ ତିନି ମାସ ସ୍ଥାନ ନେବ ।

ନିୟମ ୬ରେ ସମ୍ପର୍କୀୟଙ୍କ ଠାରୁ ବିଦେଶରୁ ଚାନ୍ଦା ପାଇବା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି କୌଣସି ଆର୍ଥିକ ବର୍ଷରେ ନିଜ ସମ୍ପର୍କୀୟଙ୍କ ଠାରୁ ଏକ ଲକ୍ଷରୁ ଅଧିକ ଟଙ୍କାର ଜିନିଷ କିମ୍ୱା ରାଶି ଆକାରେ ପାଏ ତେବେ ଏହି ପ୍ରକାର ରାଶି ପାଇବାର ୩୦ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ସୂଚନା ଦେବାକୁ ପଡିଥାଏ। ଏବେ ଏଥିରେ ପରିବର୍ତ୍ତନ କରିଛନ୍ତି ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.