କୋହଲିଙ୍କ ଶତକକୁ କଟାକ୍ଷ କଲେ ଗମ୍ଭୀର : ‘ରୋହିତ-ଅଶ୍ୱୀନ-ରାହାଣେ ହୋଇଥିଲେ…’
10/09/2022 at 2:31 PM

ନୂଆଦିଲ୍ଲୀ, ୧୦|୦୯: ଏସିଆ କପ୍ ୨୦୨୨ ଭାରତୀୟ ଟିମ୍ ପାଇଁ ଖୁବ୍ ନୈରାଶ୍ୟଜନକ ରହିଥିଲା । କାରଣ ଭାରତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା । ତେବେ ବିରାଟ କୋହଲିଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା । ସେ ଶତକର ଭୋକ ମେଣ୍ଟାଇଥିଲେ । ଏହାସହ ଦୁଇଟି ଅର୍ଦ୍ଧଶତକ ମଧ୍ୟ ଲଗାଇଥିଲେ ।
ବିରାଟ ଫର୍ମକୁ ଫେରିଥିବାରୁ ସମସ୍ତେ ଖୁସି ଅଛନ୍ତି । ତାଙ୍କ ଶତକୀୟ ଇନିଂସକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟଙ୍କ ଶତକୀୟ ପାଳିକୁ ନେଇ କଟାକ୍ଷ କରିଛନ୍ତି ।
ଗମ୍ଭୀର କହିଛନ୍ତି ଯେ, ବିରାଟଙ୍କ ସ୍ଥାନରେ ଅଶ୍ୱିନ, ରାହାଣେ ଓ ରୋହିତ ଶର୍ମା ଥିଲେ କେବେଠୁ ଦଳରୁ ବାଦ୍ ଦିଆଯାଇଥାନ୍ତେ । ସେ ଫର୍ମରେ ନଥିବା ସତ୍ତ୍ୱେ ଦୀର୍ଘଦିନ ଧରି ଦଳରେ ସୁଯୋଗ ପାଉଥିଲେ । କ୍ରିକେଟର ସମସ୍ତ ଫର୍ମାଟରେ ତାଙ୍କୁ ସୁଯୋଗ ମିଳିଥିଲା । ଅନ୍ୟ କେହି ହୋଇଥିଲେ ଏତେ ସୁଯୋଗ ମିଳିନଥାନ୍ତା ।
ସୂଚନାଯୋଗ୍ୟ, କୋହଲି ଆଫଗାନିସ୍ତାନ ବିପକ୍ଷରେ ୭୧ ତମ ଶତକ ଲଗାଇଥିଲେ । ଏହାସହ ଫର୍ମକୁ ଫେରିଥିବା ଇଶାରା ଦେଇଥିଲେ । ଏହି ଶତକ ପାଇଁ ତାଙ୍କୁ ପ୍ରାୟ ୩ ବର୍ଷ ଅପେକ୍ଷା କରିବାକୁ ପଡିଥିଲା ।