ମୁଖ୍ୟ ଶାସନ ସଚିବଙ୍କ ପିତୃବିୟୋଗ : ପ୍ରାଶାସନିକ ସେବାରୁ ଅବସର ନେଇଥିଲେ ଗୌରୀଶଙ୍କର ତ୍ରିପାଠୀ

Published By : Prameya-News7 Bureau | October 10, 2020 IST

ଟିଟିଲାଗଡ଼ ୧୦।୧୦: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତାଙ୍କ ପରଲୋକ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ପିତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୌରୀଶଙ୍କର ତ୍ରିପାଠୀଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଟିଟିଲାଗଡ଼ ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ବର୍ଷ ହେଉଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଝିଅ ଓ ବୋହୂ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଗୌରୀଶଙ୍କର ପରଲୋକ ଖବର ପାଇବା ପରେ ଟିଟିଲାଗଡ଼ ସମେତ ଆଖାପାଖର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଟିଟିଲାଗଡ଼ ହାଟପଦାସ୍ଥିତ ତାଙ୍କ ବାସଭବନ ପୌର୍ଣ୍ଣମାସୀ କୁଟୀରରେ ଶେଷଦର୍ଶନ କରିଛନ୍ତି ।

ଏପ୍ରିଲ ୧୬, ୧୯୨୫ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ତ୍ରିପାଠୀ ଓଡ଼ିଶା ସରକାରଙ୍କ ଜଣେ ପ୍ରାଶାସନିକ ଅଧିକାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଶେଷରେ ସଇଁତଳା ବିଡିଓ ଭାବେ ସେବା ନିବୃତ୍ତ ହୋଇଥିଲେ । ଅବସର ପରେ ଟିଟିଲାଗଡ଼ରେ ରହି ନିଜ ଅଞ୍ଚଳପାଇଁ କାମ କରିବାକୁ ସେ ମନସ୍ଥ କରିଥିଲେ ଏବଂ ସେଠାରେ ରହି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିମଗ୍ନ ରହିଥିଲେ । ଜଣେ ସୁସାହିତ୍ୟିକ ଭାବରେ ତାଙ୍କର ବେଶ ଖ୍ୟାତି ଥିଲା । ତାଙ୍କ ୫ଜଣ ପୁଅ ଅଶୋକ, ଅରୁଣ, ଅସୀତ, ଅମିତ, ଅଜିତ ଓ ଦୁଇ ଝିଅ ନିରୁପମା ଓ ମନୋରମା ପ୍ରମୁଖଙ୍କୁ ଉଚ୍ଚ ସଂସ୍କାର ଦେବା ସହ ଉଚ୍ଚଶିକ୍ଷିତ କରି ଗଢି ତୋଳିଥିଲେ ।

ଗତ ୨୦୧୮ରେ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣମାସୀ ଦେବୀଙ୍କର ପରଲୋକ ପରେ ସେ ମାନସିକସ୍ତରରେ ସାମାନ୍ୟ ଦୁର୍ବଳ ହୋଇପଡ଼ିଥିଲେ । ଗତ ନୂଆଖାଇ ସମୟରେ ସେ ଟିଟିଲାଗଡ଼ ତଥା ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଏକ ବାର୍ତ୍ତା ଲେଖିଥିଲେ । ପରେ ନିଜ ପୁଅ ଅସିତଙ୍କ ସହିତ ନୂଆଖାଇ ପାଳନ କରିଥିଲେ । କିଛି ଦିନ ଧରି ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିେଲେ । ପ୍ରତିଦିନ ଭଳି ନିଜ ଶୟନ କକ୍ଷରେ ଶୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଟିଟିଲାଗଡ଼ ପହଞ୍ଚିବା ପରେ ହାଟପଦା ସ୍ଥିତ ମୁକ୍ତିଧାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.