ଗୋରୁ ଚମଡା ବୋଝେଇ ଟ୍ରକ ଅଟକ, ତାତିଲେ ବଜରଙ୍ଗ କର୍ମୀ

Published By : Prameya-News7 Bureau | September 14, 2022 IST

ମୋହନା ୧୪/୦୯: ଗୋରୁ ଚମଡା ବୋଝେଇ ଟ୍ରକ ଅଟକ ରଖିବା ସହ ରାସ୍ତା ଅବରୋଧ କରିଥିଲେ ଲୋକେ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରିରେ । ମଙ୍ଗଳବାର ସନ୍ଧ୍ୟାରେ ଏକ ଟ୍ରକ ପାରଳାଖେମୁଣ୍ଡି ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଗୋରୁ ଚମଡା ବୋଝେଇ ଟ୍ରକ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳର କର୍ମୀ ଆର.ଉଦୟଗିରିରେ ଟ୍ରକ୍ କୁ ଅଟକାଇ ଥିଲେ ।

ଟ୍ରକକୁ ଯାଞ୍ଚ ପରେ ଏଥିରେ ବିପୁଳ ପରିମାଣର ଗୋରୁ ଚମଡା ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ବଜରଙ୍ଗ ଦଳ କର୍ମୀ ଓ ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ । ପ୍ରାୟ ତିନି ଘଣ୍ଟା ଧରି ରାସ୍ତା ଅବରୋଧ ହେବା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ପାରଳାଖେମୁଣ୍ଡି ଓ ବ୍ରହ୍ମପୁରକୁ ଯାତାୟତ ଠପ୍ ହୋଇଥଲା ।

ଏତେ ପରିମାଣର ଗୋରୁ ଚମଡା କେଉଁଠୁ ଆସିଲା ଓ କିଏ ଚାଲାଣ କରୁଥିଲା ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରେ ଧାରଣା ଦେଇଥିଲେ ଲୋକେ । ଏଥିସହ ଆର.ଉଦୟଗିରି ଥାନାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଗୋରୁ ଚମଡା ବୋଝେଇ ଟ୍ରକ ଡ୍ରାଇଭର, ହେଲ୍ପର ଓ ମାଲିକଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଛି । କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.