ମମତାଙ୍କ ଶକ୍ତିବୃଦ୍ଧି, ଟିଏମସିକୁ ସମର୍ଥନ ଘୋଷଣା କଲେ ଗୋର୍ଖା ମୁକ୍ତି ମୋର୍ଚ୍ଚା ନେତା ରୋଶନ ଗିରି, କହିଲେ- 'ବିଜେପି ଧୋକା ଦେଇଛି'

Published By : Prameya-News7 Bureau | November 30, 2020 IST

କୋଲକାତା,୩୦/୧୧:  ଗୋର୍ଖା ମୁକ୍ତି ମୋର୍ଚ୍ଚାର ମୁଖ୍ୟ ରୋଶନ ଗିରି ଆଗାମୀ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ରୋଶନଙ୍କ ସମର୍ଥନ ପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଶକ୍ତି ଆହୁରି ବୃଦ୍ଧି ପାଇବ  ।

ଏକ ସାଧାରଣ ସଭା ପରେ ଗଣମାଧ୍ୟମକୁ ରୋଶନ କହିଛନ୍ତି ଯେ, ସେ ବିଜେପିକୁ ପରାସ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । କାରଣ ବିଜେପି ତାଙ୍କ ସହ ଛଳନା କରିଛି । ୨୦୦୯ରୁ ୨୦୨୦ ମଧ୍ୟରେ ବିଜେପି ତାଙ୍କର କୌଣସି ଦାବି ପୂରଣ କରିନାହିଁ । ବିଜେପି କେବଳ ପ୍ରତିଶ୍ରୁତି ଦିଏ । ଉତ୍ତର ପଶ୍ଚିମବଙ୍ଗରେ ସେ ମମତାଙ୍କୁ ସମର୍ଥନ କରିବେ । ସେ ମମତାଙ୍କୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ଏହାସହ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ସେ ମମତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।

ଗୋଟିଏ ପଟେ ମମତାଙ୍କ କିଛି ଘନିଷ୍ଠ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ମମତାଙ୍କ ଦଳକୁ ଭାଙ୍ଗିବାକୁ ମଧ୍ୟ ପ୍ରୟାସ କରୁଥିବା ଅଭିଯୋଗ ହେଉଛି ।  କିଛିଦିନ ତଳେ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମମତା ସରକାରରେ ପରିବହନ ମନ୍ତ୍ରୀ ଥିବା ଶୁଭେନ୍ଦୁ ଗତ କିଛି ଦିନ ହେବ ବିଦ୍ରୋହୀ ଆଚରଣ କରୁଥିଲେ ।ଶୁଭେନ୍ଦୁ ଅଧିକାରୀ ପରିବହନ ମନ୍ତ୍ରୀ ଥିଲେ ଏବଂ ଦଳ ଭିତରେ ତାଙ୍କର ଦବଦବା ମଧ୍ୟ ରହିଛି । ପଶ୍ଚିମବଙ୍ଗ ରାଜନୀତିରେ ସେ ଜଣେ ଜଣାଶୁଣା ଚେହେରା । 

ସୂଚନାଯୋଗ୍ୟ, ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ୨୯୪ ଆସନ ପାଇଁ ମତଦାନ ହେବ । ଏହି ନିର୍ବାଚନରେ ବିଜେପି ମମତାଙ୍କ ଗଡ ଦଖଲ କରିବା ନେଇ ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.