୨୦୨୨ ରେ ଏହି ବିଷୟରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ: ଜାଣନ୍ତୁ ଗୁଗଲର ରିପୋର୍ଟରେ ଆଉ କ’ଣ ହୋଇଛି Search…
7/12/2022 at 4:29 PM

ନୂଆଦିଲ୍ଳୀ, ୭/୧୨: କୌଣସି ଜିନିଷ ବିଷୟରେ ଜାଣିବାକୁ ହେଲେ ଆମେ ତତ୍କ୍ଷଣାତ ଗୁଗଲ କରୁ। ଆଉ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସେହି ଜିନିଷ ବା ଘଟଣା ସମ୍ପର୍କରେ ଆମକୁ ତଥ୍ୟ ମିଳିଯାଏ। କିନ୍ତୁ ଗୁଗଲରେ ଅଧିକାଂଶ କ’ଣ ସର୍ଚ୍ଚ କରାଯାଉଛି ତାହା ଜାଣିଛନ୍ତି କି ?
ପ୍ରକୃତରେ, ଗୁଗଲରେ ବର୍ଷ ସାରାର ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଘଟଣାକୁ ନେଇ ଗୁଗଲ ଏହାର ’Year in search 2022’ ରିପୋର୍ଟ ଜାରି କରିଛି। ଗୁଗଲ ଭିନ୍ନ ଭିନ୍ନ ଦେଶ ପାଇଁ ଏହି ଲିଷ୍ଟ ଜାରି କରିଥାଏ। ତେବେ ଚଳିତ ବର୍ଷ ଭାରତରେ ଗୁଗଲରେ ମନୋରଞ୍ଜନ, ଖେଳ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସର୍ଚ୍ଚ କରାଯାଇଥିବା ନେଇ ଏହି ରିପୋର୍ଟରେ ଉଲ୍ଳେଖ ରହିଛି। ଆଶ୍ଚର୍ଯ୍ୟର କଥା ଗତବର୍ଷ ସବୁଠୁ ଅଧିକ କରୋନା ମହାମାରୀକୁ ନେଇ କରାଯାଇଥିଲା।
ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ବିଷୟରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି। ଏହା ଦେଶରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଖେଳ ମଧ୍ୟରେ ରହିଛି। ଏହା ପରେ କୋଭିଡ୍ ଟିକା ପାଇଁ କରାଯାଉଥିବା ପଞ୍ଜିକରଣ ପୋର୍ଟାଲ CoWIN ବିଷୟରେ ଅଧିକ ସର୍ଚ୍ଚ କରାଯାଇଛି। ତୃତୀୟରେ ଫିଫା ଓ୍ବାର୍ଲ୍ଡ କପ୍ ୨୦୨୨। ଚତୁର୍ଥ ଏବଂ ପଞ୍ଚମରେ ଏସିଆ କପ୍ ଏବଂ ଆଇସିସି ଟି ୨୦ ଓ୍ବାର୍ଲ୍ଡ କପ୍ ରହିଛନ୍ତି। ଷଷ୍ଠରେ ବଲିଉଡ୍ ଫିଲ୍ମ ବ୍ରହ୍ମାସ୍ତ୍ର: ପାର୍ଟ ଓ୍ବାନ୍ ଏବଂ ୯ମ ରେ କେଜିଏଫ୍ ଚାପ୍ଟର ୨ ରହିଛି।
ସେହିପରି ’ନିୟର ମି’ ସର୍ଚ୍ଚରେ ଲୋକେ ଅଧିକ ଭାବରେ ସ୍ବିମିଂ ପୁଲ୍ ନିୟର ମି , ଓ୍ବାଟର ପାର୍କ ନିୟର ମି, ସିନେମା ଇତ୍ୟାଦି ସର୍ଚ୍ଚ କରିଛନ୍ତି। ୨୦୨୨ ରେ ଭାରତୀୟମାନେ ଅଗ୍ନିପଥ ସ୍କିମ୍, ନାଟୋ, ଏନଏଫଟି ବିଷୟରେ ମଧ୍ୟ ଜାଣିବାକୁ ଚାହିଛନ୍ତି।
ତେବେ ୨୦୨୨ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ବ ମଧ୍ୟରେ ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ପ୍ରଥମରେ ରହିଛନ୍ତି। ଏହା ପରେ ରାଷ୍ଟ୍ରପତି ଦ୍ରୋପଦୀ ମୂର୍ମୂ, ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ରିଷି ସୁନକ ଏବଂ ଲଳିତ ମୋଦୀ ରହିଛନ୍ତି।